ବିଜୁ ଯୁବ ବାହିନୀ ଅମ୍ଫନ ମୁକାବିଲା ପାଇଁ ଆଗେଇ ଆସନ୍ତୁ: ବିଜୟ କୁମାର ନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର କ୍ଷୟକ୍ଷତି ପୂର୍ବରୁ ଓ ପରେ ପ୍ରଭାବିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବିଜୁ ଯୁବ ବାହିନୀର ସ୍ବେଛାସେବୀମାନଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଆହ୍ୱାନ ଜଣାଇଛନ୍ତି।

ମହାବାତ୍ୟା ‘ଅମ୍ଫନ’ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାବେଳେ ଏସବୁ ଜିଲ୍ଲାରେ ସକ୍ରିୟ ଥିବା ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ନିଜର ସୁରକ୍ଷାକୁ ପ୍ରାଥମିକତା ଦେଇ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ବିଜୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, “ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟାରେ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଉଥିବାରୁ ତାଙ୍କର ପରାମର୍ଶକୁ ପାଳନ କରି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକମାନଙ୍କ ପାଖରେ ଠିଆ ହେବା ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କ କର୍ତ୍ତବ୍ୟ” ।

ରାଜ୍ୟର ୧୨ଟି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ ବୋଲି ରାଜ୍ୟ ରିଲିଫ କମିଶନର ସୂଚନା ଦେଇଥିବାରୁ ପ୍ରଶାସନର ସହଯୋଗରେ ଏସବୁ ଜିଲ୍ଲାରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ବିଶେଷକରି ସମୁଦ୍ର ଉପକୂଳ ସମେତ ତଳିଆ ଅଞ୍ଚଳରେ କୋଠା ଘରେ ରହୁନଥିବା ଲୋକମାନଙ୍କୁ ପ୍ରଶାସନ ସହାୟତାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଦିଗରେ ସହଯୋଗର ହାତ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସେହିପରି ରାଜ୍ୟବାସୀ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଥିବାବେଳେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ପ୍ରଥମରୁ ସାମାଜିକ ଦୂରତ୍ୱ, ହାତଧୂଆ ସଚେତନତା, କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା, ଘରଘର ବୁଲି ସର୍ଭେ ଅସହାୟଙ୍କୁ ରନ୍ଧା ଖାଦ୍ୟ, ପ୍ରବାସୀ ଶ୍ରମିକଙ୍କୁ ସହାୟତା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଥିବାରୁ ବିଜୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବାତ୍ୟା ମୁକାବିଲା ଦିଗରେ ବିଜୁ ଯୁବ ବାହିନୀ ସ୍ବେଛାସେବୀ ବନ୍ଧୁମାନେ ଅନୁରୂପ ସକ୍ରିୟତା ଦେଖାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.