‘ମୁଁ ବିକାଶ ଦୁବେ କାନପୁର ୱାଲା , ନାଟକୀୟ ଢଙ୍ଗରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର କାନପୁର ଶୁଟ ଆଉଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ପୁଲିସ୍‌ ମଧ୍ୟପ୍ରଦେଶର ଉଜୈନରୁ ଗିରଫ କରିଛି। ଉଜୈନର ମହାକାଳ ମନ୍ଦିର ପରିସରରେ ବିକାଶ ଦୁବେ ଗିରଫ ହେବା ପୂର୍ବରୁ ହାଇଡ୍ରାମା କରିଥିଲା।
ବିକାଶ ଦୁବେ ସକାଳ ୮ଟାରେ ମନ୍ଦିର ନିକଟରେ ପହଞ୍ଚିଥିଲା। ସେ ମନ୍ଦିରକୁ ଯିବାବେଳେ ତାକୁ ମନ୍ଦିରର ସିକ୍ୟୁରିଟି ଗାର୍ଡ ଚିହ୍ନଟ କରିଥିଲେ। ଏହାପରେ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଭ୍ୟାନ ଧରି ସେଠାରେ ପହଞ୍ଚିଥିଲା। ପୂରା ମନ୍ଦିରକୁ ଘେରାଉ କରି ୧୦ରୁ ୧୨ ଜଣ ପୁଲିସ୍‌ କର୍ମଚାରୀ ମନ୍ଦିର ଭିତରକୁ ଯାଇ ତା’କୁ ଗିରଫ କରିଥିଲେ।


ଏହି ସମୟରେ ବିକାଶ ଦୁବେ ବେଶ ଚମତ୍କାର ଢଙ୍ଗରେ କହିଥିଲା ଯେ ‘ମୁଁ ବିକାଶ ଦୁବେ’ କାନପୁର ୱାଲା। ସେ ଦୁଇ ଥର ଚିତ୍କାର କରି ଏଭଳି କଥା କହିଥିଲା।
ପୁଲିସ୍‌ ତା’କୁ ସେଠାରୁ ଗିରଫ କରି ଭ୍ୟାନ୍‌ ନିକଟକୁ ଆଣିବା ବେଳେ ବି ସେ ‘ମୁଁ ବିକାଶ ଦୁବେ’ କାନପୁର ୱାଲା ବୋଲି ବି କହିଥିଲା। ଉଜୈନ ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି, ବିକାଶ ଦୁବେ ମହାକାଳ ମନ୍ଦିରକୁ ଯିବା ବେଳେ ତା’ ଉପରେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା।
ଏହାପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି, ତା’କୁ କାବୁ କରିଥିଲେ। ସେ ମଧ୍ୟ ତା’ ପରିଚୟ ସାର୍ବଜନୀନ କରିଛି। ଆଜି ସନ୍ଧ୍ୟା ସୁଦ୍ଧା କାନପୁର ପଠାଯିବ ବୋଲି ସେ କହିଛନ୍ତି। ଜୁନ୍‌ ୩ରେ ପୁଲିସ୍‌ କର୍ମଚାରୀମାନେ ତା’କୁ ଧରିବାକୁ ଯିବାବେଳେ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ। ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ। ସେବେଠାରୁ ତା’କୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଇଥିଲା। ପ୍ରଥମେ ସେ ଫରିଦାବାଦରେ ଥିବା ଜଣାପଡ଼ିଥିଲା। ତେବେ ସେଠାରୁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

Leave A Reply

Your email address will not be published.