ବ୍ୟାପୁଛି ବାର୍ଡ ଫ୍ଲୁ,୧୨ଟି କେନ୍ଦ୍ରସ୍ଥଳ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶର ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଗୁରୁତର ରୂପ ନେଇଛି। ଏହି ୪ ରାଜ୍ୟରେ ରୋଗ ସଂକ୍ରମଣର ୧୨ଟି କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ଏଭଳି ପରିସ୍ଥିତିରେ ବାର୍ଡ ଫ୍ଲୁର ‘ଏଚ୫ଏନ୮’ ଷ୍ଟ୍ରେନକୁ ରୋକିବା ଲାଗି ବିଭିନ୍ନ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି। ଏବଂ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଇତି ମଧ୍ୟରେ କେରଳରେ ବତକ ଓ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ତେବେ ବିଦେଶାଗତ ପକ୍ଷୀଙ୍କ ଯୋଗୁଁ ବାର୍ଡ ଫ୍ଲୁ ବ୍ୟାପୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କେରଳରେ ବାର୍ଡ ଫ୍ଲୁ ସଂକ୍ରମଣର ୪ଟି କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି। ଆଲାପୁଝା ଓ କୋଟାୟାମ୍ରେ ୬୯୦୦୦ କୁକୁଡ଼ା ଓ ବତକଙ୍କୁ ମରାଗଲାଣି। ତାମିଲନାଡୁର କେରଳ ସୀମାରେ ୨୬ଟି ଚେକ୍ପୋଷ୍ଟ ପ୍ରତିଷ୍ଠା କରାଯାଇ କୁକୁଡ଼ା, କୁକୁଡ଼ା ମାସଂ ଓ ଅଣ୍ଡା ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ହରିଆଣାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ହରିଆଣାର ପଞ୍ଚକୁଲା ଜିଲ୍ଲାରେ ଗତ ୧୦ ଦିନ ମଧ୍ୟରେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ୪ ଲକ୍ଷ କୁକୁଡ଼ା ମରିଛନ୍ତି।
ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବୁଧବାର କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଆମେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ କେରଳ ଓ ହରିଆଣାକୁ ସ୍ଥିତି ଅନୁଧ୍ୟାନ ପାଇଁ ଟିମ୍ ପଠାଇଛନ୍ତି। କେରଳ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ଦେଖାଦେବାରୁ ବହୁ ବିଦେଶାଗତ ପକ୍ଷୀ ଏଥିରେ ସଂକ୍ରମିତ ହୋଇ ମରିବା ଦେଖାଯାଇଛି। ପୋଙ୍ଗଡ୍ୟାମ୍ ଅଭୟାରଣ୍ୟରେ ପ୍ରାୟ ୨୭ଶହ ବିଦେଶାଗତ ପକ୍ଷୀ ମରି ପଡିଥିବା ଦେଖାଦେଇଛି। କୁକୁଡ଼ା, ଅଣ୍ଡା ଓ ମାଂସ ବିକ୍ରି ଓ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି। ରାଜସ୍ଥାନର ୪ଟି ଜିଲ୍ଲା ଜୟପୁର, କୋଟା, ବରନ୍, ଝାଲାୱାରରେ ବାର୍ଡ ଫ୍ଲୁ ଦେଖାଦେଇଛି। ଏ ପର୍ଯ୍ୟନ୍ତ ୭୧୭ କାଉ ମରିଥିଲା ବେଳେ ଗତ ୨୪ ଘଣ୍ଟାରେ ୨୪୬ କାଉ ମରିଥିବା ରିପୋର୍ଟ ମିଳିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବୁଧବାର ଏକ ଜରୁରୀ ବୈଠକ କରି ମାଣ୍ଡସୌର, ଇନ୍ଦୋର, ମାଲୱାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାରାଷ୍ଟ୍ରର ଥାନେରେ ମଧ୍ୟ ପକ୍ଷୀ ମଡକ ଦେଖାଦେଇଛି। ଦିଲ୍ଲୀରେ ବାର୍ଡ ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି।

Leave A Reply

Your email address will not be published.