ବିଶ୍ୱଭୂଷଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ସୁଶ୍ରୀ ଅନସୂୟା ଉକେଇ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ୧୯୭୧ ମସିହାରୁ ଭାରତୀୟ ଜନସଂଘରୁ କ୍ୟାରିଅର ଆରମ୍ଭ କରିଥିବା ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା । ଶ୍ରୀ ହରିଚନ୍ଦନ ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଶ୍ରୀ ହରିଚନ୍ଦନ ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପରେ ସେଥିରେ ଯୋଗ ଦେଇଥିଲେ । ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ହୋଇଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ । ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ଶାସନ ଜାରି କରିଥିବା ସମୟରେ ସେ ମିସା ଆଇନ୍‌ ବଳରେ ଜେଲ୍‌ ଯାଇଥିଲେ । ଶ୍ରୀ ହରିଚନ୍ଦନ ୫ ଥର ଚିଲିକା ଏବଂ ଭୁବନେଶ୍ୱରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେହିପରି ରାଜସ୍ୱ ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଶ୍ରୀ ହରିଚନ୍ଦନ କେବଳ ରାଜନୀତି ନୁହେଁ ସେ ପୁସ୍ତକ ଲେଖିବାରେ ମଧ୍ୟ ରୁଚି ରଖନ୍ତି । ଶ୍ରୀ ହରିଚନ୍ଦନ ଶେଷ ଝଲକ,ମାତୃଭାଷା, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ରଚନା କରିଛନ୍ତି । ସେ ନିକଟରେ ତାଙ୍କ ଲିଖିତ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.