ଜେଲ ଯିବେ ବିଜେଡି ବିଧାୟକ ଦେବାଶିଷ ! ଦାମ ଓ ସତ୍ୟପ୍ରକାଶ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିଧାୟକ ଦେବାଶିଷଙ୍କ ପରମ ଶତ୍ରୁ ତଥା ବିଜେଡିରୁ ବିତାଡିତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ଅଭିଜିତ ଆୟାର ଯେତେବେଳେ କୋଣାର୍କ ମନ୍ଦିର ଓ ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ଓ ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ସେତେବେଳେ କିନ୍ତୁ ରାଜ୍ୟ ସରକାର ତାଙ୍କୁ ଗିରଫ କରିଥିଲେ । ମାତ୍ର ବିଧାୟକ ଦେବାଶିଷ ସହିଦ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ସମଗ୍ର ବିଶ୍ୱରେ ଓଡ଼ିଶାକୁ ଲଜ୍ଜିତ କରିଛନ୍ତି । ଏହି ଘଟଣାକୁ ଏତେଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ବିଧାୟକ ଦେବାଶିଷଙ୍କ ଗିରଫଦାରୀ ଦାବି କରିଛି । କଂଗ୍ରେସ ମିଡ଼ିଆସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ଅଭିଜିତ ଆୟାରଙ୍କ କଥା ମାନେପକାଇଦେଇ କହିଥିଲେ ଯଦି ଓଡ଼ିଶା ପାଇଁ ଅପଶବ୍ଦ ବ୍ୟବହାର କରି ଆୟାର ଜେଲ ଗଲେ ତେବେ ସହିଦ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ସମଗ୍ର ବିଶ୍ୱରେ ଭାରତକୁ ଲଜ୍ଜିତ କରିଥିବା ବିଧାୟକ ଦେବାଶିଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ସେ ସମସ୍ତଙ୍କ ପାଇଁ ସମାନ ନ୍ୟାୟ କରନ୍ତି ବୋଲି ସବୁବେଳେ ଚର୍ଚ୍ଚା ଚାଲିଥାଏ । ତେଣୁ ଏଥର ଯେଉଁ ବିଧାୟକଙ୍କ ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଛି ତାଙ୍କ ପ୍ରତି ନବୀନ କି କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକିରହିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାରରେ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ଚର୍ଚ୍ଚାରେ ଥିବା କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଏହି ଧକ୍କା ମାରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲିବା ପରେ ଦେବାଶିଷ କ୍ଷମାପ୍ରାର୍ଥନା କରିଥିଲେ । ମାତ୍ର ମାନବିକତା ଶୂନ୍ୟ ଏପରି ଲୋକ ପ୍ରତିନିଧିଙ୍କୁ କେବଳ ରାଜ୍ୟବାସୀ ନୁହେଁ ସମଗ୍ର ଦେଶବାସୀ ନିନ୍ଦା କରିଥିଲେ । ବର୍ତ୍ତମାନ ସେହି ଭାଇରଲ ଭିଡ଼ିଓ ପାକିସ୍ତାନ ନିଉଜ ଚ୍ୟାନେଲରେ ବାରମ୍ବାର ପ୍ରସାରିତ ହେଉଛି । ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତା ମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ । ଯାହାଫଳରେ ସମଗ୍ର ଭାରତକୁ ଲଜ୍ଜିତ ହେବାକୁ ପଡିଛି ।

Leave A Reply

Your email address will not be published.