ସାଂସଦ ମାନସ ମଙ୍ଗରାଜ ହେଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କମିଟିର ପରାମର୍ଶଦାତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଦାୟିତ୍ୱ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ ମଙ୍ଗରାଜଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡ଼ି ସାଂସଦଙ୍କୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିବା ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ।

ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦନ ରପ୍ତାନୀ କର୍ତ୍ତୃପକ୍ଷ (ଏମ୍‍ପିଇଡିଏ)ର ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମଙ୍ଗରାଜଙ୍କୁ ପ୍ରଥମ ପାଳି ଆରମ୍ଭରୁ ହିଁ ଭାରତ ସରକାର ଦୁଇ ଦୁଇଟି ଗୁରୁ୍‍ତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀ ମଙ୍ଗରାଜ ସାମ୍ବାଦିକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ବିଜୁ ଜନତା ଦଳରେ ଯୋଗ ଦେବାପରେ ଗଣମାଧ୍ୟମ ବ୍ୟାପାର ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀ ମଙ୍ଗରାଜ ରାଜ୍ୟ ସାମ୍ବାଦିକଙ୍କ ପାଇଁ ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଥିଲେ । ସେହିପରି ଆଜି ଶ୍ରୀ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ କନସଲଟେଟିଭ୍‍ କମିଟିର ସଦସ୍ୟଭାବେ ମନୋନିତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ।

ଏହାକୁ ନେଇ ଶ୍ରୀ ମଙ୍ଗରାଜ ଟ୍ୱିଟ୍‍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ଆଦର୍ଶକୁ ଆଧାର କରି ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ସଫଳତାର ସହ ସମ୍ପାଦନ ଦିଗରେ କାର୍ଯ୍ୟ କରିବେ ବୋଲି ନିଜ ଟ୍ୱିଟ୍‍ରେ ଶ୍ରୀ ମଙ୍ଗରାଜ ଉଲ୍ଲେଖ କରିଛନ୍ତି।

SOA post below
Leave a comment