ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶାସକ ବିଜେଡିର ପ୍ରମୁଖ ନେତୃବୃନ୍ଦଙ୍କ ପ୍ରରୋଚନା ଏବଂ ଷଡଯନ୍ତ୍ରରେ ପ୍ରତିହିଂସାପରାୟଣ ହୋଇ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅକ୍ରମଣ କରାଯାଇ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ ।
ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ରାଜନୀତିରେ ଏଭଳି ଘୃଣ୍ୟ କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ। ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଶାସକ ବିଜେଡି ପଛାଉନାହିଁ। ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣରୁ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାର ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି।
ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛଠାରେ ବାଃ ବାଃ ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ବର୍ତମାନ ହିଂସାକୁ ପ୍ରଶ୍ରୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି । ଏଥିସହ
ବିରୋଧୀ ଦଳର ନେତାମାନଙ୍କୁ ହତ୍ୟା କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନିଖୋଜ ଶିଶୁମାନଙ୍କୁ ନା ସୁରକ୍ଷା
ଦେଇପାରୁଛନ୍ତି ନା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସୁରକ୍ଷା ଦେଇପାରୁଛନ୍ତି । ତେଣୁ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇକୁ ଜାରି ରଖିବା ସହ ପ୍ରତିହିଂସାପରାୟଣ ସାଜିଥିବା ଶାସକ ବିଜେଡିର ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ଦମନମୂଳକ କାର୍ଯ୍ୟକୁ ବିରୋଧ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଗତ ୨ ତାରିଖ ଦିନ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଦି ତୁରନ୍ତ ଗିରଫ ନକରାଯାଏ, ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାଭୟ ରୂପ ନେବ ଏବଂ ଶାସକ ବିଜେଡିକୁ କାଠଗଡାରେ ଠିଆ କରାଇବା ପାଇଁ ଭାରତୀୟ ଜନତା ପାର୍ଟୀ ଲଢେଇକୁ ଜାରୀ ରଖିବ। ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ
ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି । ଏହି ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ ଏବଂ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନଙ୍କ ଇସ୍ତଫା ଦାବୀରେ ୫ ତାରିଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ପୋଲିସ ଥାନା ସମ୍ମୁଖରେ ବିକ୍ଷୋଭ କରିବ। ଆସନ୍ତା ୬ ତାରିଖ ଦିନ ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପୋଲିସ ବିଭାଗର ନିଷ୍କ୍ରିୟତା କାରଣରୁ ଆସନ୍ତା ୮ ତାରିଖ ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ ସୁଚନା ଦେଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ଉପସ୍ଥିତ ଥିଲେ ।