ବ୍ଲାକମେଲିଂ କରି ବିଜେପି ଯୁବନେତା ସହ ୪ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଫଟୋ ଦେଖାଇ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ (ଆରସିଏମ) କଲେଜ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଂ କରାଯାଇଛି । ଅଧ୍ୟକ୍ଷ ପ୍ରବୀର ପାଲଙ୍କୁ ୧୦ଲକ୍ଷ ଟଙ୍କା ବଟି ମାଗିଥିଲେ । ଏହି ଘଟଣାରେ ପୋଲିସ ବିଜେପି ଯୁବନେତାଙ୍କ ସହ ୪ଜଣଙ୍କୁ ଗିରଫ କରିଛି ।

ଚନ୍ଦ୍ରଶେଖରପୁର ପୋଲିସ ଅପହରଣ, ଷଢଯନ୍ତ୍ର ଓ ଦାଦାବଟି ଅଭିଯୋଗରେ ବିଜେପି ଯୁବନେତା ବାପି ଓରଫ ଦେବାଶିଷ ନାୟକଙ୍କ ସମେତ ରାଜା ଓରଫ ରାଜେନ୍ଦ୍ର ନାୟକ, ପବିତ୍ର ନାୟକ ଓ ନିଧିରାମ ସ୍ୱାଇଁଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ କେସ ନମ୍ବର ୧୪୩/୧୮ ଦଫା ୩୪୨, ୩୮୬, ୩୬୪ (ଏ), ୨୯୪, ୫୦୬, ୧୨୦ (ବି)ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ଘଟଣା କ୍ରମେ , କିଛିଦିନ ତଳେ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଜଣେ ଯୁବତୀ ଆରସିଏମ କଲେଜକୁ ଚାକିରୀ ପାଇଁ ଇଣ୍ଟରଭିୟୁ ଦେବାକୁ ଆସିଥିଲେ । ସାକ୍ଷାତକାର ପରେ ସଂପୃକ୍ତ ଯୁବତୀ ବାରମ୍ବାର ଅଧ୍ୟକ୍ଷଙ୍କୁ ଦେଖା କରି ଚାକିରି ଦେବାକୁ ଅନୁରୋଧ କରୁଥିଲେ । ଇତି ମଧ୍ୟରେ ଯୁବତୀଙ୍କ କଲେଜ ଅଧ୍ୟକ୍ଷ ପ୍ରବୀର ପାଲ ଓ ଯୁବତୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଜଣକ କୌଶଳରେ କଲେଜ ଅଧ୍ୟକ୍ଷଙ୍କ ସହ କିଛି ଆପତ୍ତିଜନକ ଫଟୋ ଉଠାଇ ନେଇଥିଲେ ।
ସେହି ଆପତ୍ତିଜନ ଫଟୋକୁ ନେଇ ବିଜେପି ଯୁବନେତା ବାପି ଓ ତା’ର ସହଯୋଗୀମାନେ ଶ୍ରୀପାଲଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ଭାଇରାଲ ନକରିବା ଲାଗି ଅଭିଯୁକ୍ତମାନେ ୧୦ଲକ୍ଷ ଟଙ୍କା ମାଗିଥିଲେ । ଶ୍ରୀପାଲ ସେମାନଙ୍କ କଥାରେ ରାଜି ହୋଇ ୩ଲକ୍ଷ ଟଙ୍କା ଦେଇଥିଲେ । ବାକି ୭ଲକ୍ଷ ଟଙ୍କା ଦେବାରେ ବିଳମ୍ବ  ହୋଇଥିଲା । ଟଙ୍କା ନମିଳିବାରୁ ଅଭିଯୁକ୍ତମାନେ ତାଙ୍କୁ ମେସେଜ ପଠାଇବା ସହ ଫୋନ ଯୋଗେ ଧମକ ଦେଇଥିଲେ ।

ଏପରିକି ଦୁଇଦିନ ତଳେ ଅଭିଯୁକ୍ତମାନେ ଶ୍ରୀପାଲଙ୍କୁ ରାସ୍ତାରେ ଅଟକାଇ ଧମକଚମକ ଦେଇଥିଲେ ।
ଏନେଇ ଶ୍ରୀପାଲ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଏମାନଙ୍କୁ ଧରିବା ଲାଗି ଏକ ଯୋଜନା କରିଥିଲା । ଶୁକ୍ରବାର ରାତିରେ ଶ୍ରୀପାଲ କୌଶଳକ୍ରମେ ଅଭିଯୁକ୍ତଙ୍କୁ ଶୈଳଶ୍ରୀବିହାର କନ୍ୟାଶ୍ରମ ନିକଟକୁ ଡକାଇଥିଲେ । ଅଭିଯୁକ୍ତମାନେ ଆସିବା ପରେ ପୂର୍ବ ଯୋଜନା ମୁତାବକ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଅପରପକ୍ଷରେ ଏହି ଘଟଣାକୁ ପୋଲିସ ଭିନ୍ନରୂପ ଦେଉଥିବା ଅଭିଯୋଗ ହେଉଛି । ପୋଲିସ ଘଟଣା ସମ୍ପର୍କରେ ସବିଶେଷ ସୂଚନା ନଦେବା ଓ ଅଭିଯୋଗକାରୀଙ୍କ ନାଁ ନକହିବା ସନ୍ଦେହ ସୃଷ୍ଟି କରିଛି । ପୋଲିସ ନିଜ ସ୍ୱାର୍ଥ ଲାଗି ଘଟଣାକୁ ଭିନ୍ନରୂପ ଦେଉଥିବା ଅଭିଯୁକ୍ତଙ୍କୁ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.