ପଶ୍ଚିମବଙ୍ଗରେ ପୋଲିସ-ବିଜେପି କର୍ମୀଙ୍କ ମୁଁହାମୁହିଁ

ପଶ୍ଚିମବଙ୍ଗରେ ପୋଲିସ ଏବଂ ବିଜେପି କର୍ମୀଙ୍କ ମୁଁହାମୁହିଁ । କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେପି କର୍ମୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ କରିଛି ପୋଲିସ । ପଶ୍ଚିମବଙ୍ଗ ପୋଲିସ ଜାଣିଶୁଣି ବିଜେପି ନେତା ଏବଂ କର୍ମୀଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି ।
ଏହା ସହିତ ଟିଏମସି ବିରୁଦ୍ଧରେ ପ୍ରଦର୍ଶନ କରିବାକୁ ଆସିଥିବା କର୍ମୀଙ୍କୁ ମଧ୍ୟ ରାସ୍ତାରୁ ହିଁ ଉଠାଇ ନେଉଛି ପୋଲିସ । ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଉଗ୍ର ରୂପ ନେଇଛି ।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଆସିଥିବା ୪୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ରାସ୍ତାରୁ ଗିରଫ କରିନେଇଛି ପୋଲିସ । ସେମାନେ ସମସ୍ତେ ବିକ୍ଷୋଭରେ ସାମିଲ ହେବା ପାଇଁ ସଚିବାଳୟକୁ ଆସୁଥିଲେ । ଜୋରଜବରଦସ୍ତ ରେଲଓ୍ବେ ଷ୍ଟେସନରୁ ହିଁ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିନେଇଥିବା ଜଣାପଡିଛି । ତୃଣମୂଳ କଂଗ୍ରେସର ନେତା ଏବଂ ମନ୍ତ୍ରୀମାନେ ଏକାଧିକ ଦୁର୍ନୀତିରେ ଲିପ୍ତଥିବାର ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ବିରୋଧ କରୁଛି ବିଜେପି । ଟିଏମସି ସରକାରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି । ତେଣୁ ମଙ୍ଗଳବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ସଚିବାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ବିକ୍ଷୋଭରେ ସାମିଲ ହେବାକୁ ଆସୁଛନ୍ତି । ସେମାନଙ୍କୁ ରୋକିବା ପାଇଁ ପ୍ରତି ରେଲଓ୍ବେ ଷ୍ଟେସନରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ହାଓ୍ବଡାରେ ବିଜେପି କର୍ମୀମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିଛନ୍ତି । ତେଣୁ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ସମେତ ପାଣି ମାଡ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିବା ବିଜେପି ନେତା ତଥା ଶୁଭେନ୍ଦୁ ଅଧିକାରୀ, ସାଂସଦ ଲକେଟ୍ ଚାଟାର୍ଜୀଙ୍କ ସମେତ ଅନେକ ନେତା ଏବଂ କର୍ମୀଙ୍କୁ ହେପାଜତକୁ ନେଇଛି ପୋଲିସ ।
ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପିର ବରିଷ୍ଠ ନେତୃତ୍ବଙ୍କୁ ଉଠାଇ ନେଇଛି ପୋଲିସ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ସମସ୍ତଙ୍କୁ ଲାଲବଜାର୍ ପୋଲିସ ହେଡ୍ କ୍ବାର୍ଟରରେ ରଖାଯାଇଛି । ତେବେ ହେପାଜତକୁ ଯିବା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ‘ମମତା ବାନାର୍ଜୀ ଏବେ ଲୋକଙ୍କ ଆସ୍ଥା ହରାଇ ସାରିଛନ୍ତି । ସେମାନେ ପଶ୍ଚିମବଙ୍ଗକୁ ଉତ୍ତର କୋରିଆ କରିସାରିଲେଣି । ପୋଲିସ ବି ମମତା ବାନାର୍ଜୀଙ୍କ କାଠ କଣ୍ଢେଇ ସାଜି କାର୍ଯ୍ୟାନୁଷ୍ଠା ନେଉଛି । ଏହାର ପରିଣାମ ବି ସେହିମାନେ ହିଁ ଭୋଗିବେ । କାରଣ ବେଙ୍ଗଲରେ ଖୁବଶୀଘ୍ର ବିଜେପି ଆସୁଛି’।