ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାବରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ମିଳିଲା ଜାତୀୟ ମାନ୍ୟତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସପିଏ) ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାବରେ ଜାତୀୟ ମାନ୍ୟତା ପାଇଲା । ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଗୃହମନ୍ତ୍ରୀ ଟ୍ରଫି ବିପିଏସପିଏକୁ ପ୍ରଦାନ କରାଯାଇଛି । ବିପିଏସପିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ଅରୁଣ କୁମାର ଷଢଙ୍ଗୀ ଏହି ଟ୍ରଫି ଗ୍ରହଣ କରିଛନ୍ତି ।
ଆଜି ନୂଆଦିଲ୍ଲୀ ଠାରେ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ହେଡ କ୍ୱାର୍ଟର୍ସରେ ଆୟୋଜିତ ହୋଇଥିବା ବିପିଆର ଆଣ୍ଡ ଡିର ୫୨ ତମ ଫାଉଣ୍ଡେସନ ଦିବସ ଅବସରରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅତିରିକ୍ତ ଡିଜି, ତାଲିମ ଏବଂ ନିର୍ଦ୍ଦେଶକ ଅରୁଣ କୁମାର ସାରଙ୍ଗୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ଓ ସ୍କ୍ରୋଲ ପ୍ରଦାନ କରିଛନ୍ତି । ଶ୍ରୀ ଷଢଙ୍ଗୀ ଏକାଡେମୀର ମୁଖ୍ୟ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଟ୍ରଫି ଗ୍ରହଣ କରିଥିଲେ ।
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ ବର୍ଗର ସମସ୍ତ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ପୋଲିସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭାବରେ ବିଚାର କରାଯାଇଥିଲା । ଜାନୁଆରୀ ୨୦୨୨ ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ଘୋଷଣା କରାଯାଇଥିଲା, କିନ୍ତୁ ଆଜି ନୂଆଦିଲ୍ଲୀରେ ଏକ ସମାରୋହରେ ଟ୍ରଫି ପ୍ରଦାନ କରାଯାଇଥିଲା ।
ପ୍ରଶିକ୍ଷଣ ସୁବିଧା ଓ ପଦ୍ଧତି, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ବିଭିନ୍ନ ପ୍ରକାରର ପାରାମିଟରର ମୂଲ୍ୟାଙ୍କନ ପରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀକୁ ସମସ୍ତ ରାଜ୍ୟ ପୋଲିସ୍ ଟ୍ରେନିଂ ଏକାଡେମୀ / ଅନୁଷ୍ଠାନ ମଧ୍ୟରେ ସର୍ବୋତ୍ତମ ପୋଲିସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭାବରେ ମନୋନୀତ କରାଯାଇଥିଲା ।