ରାତିସାରା ଖୋଜିବା ସତ୍ୱେ ମିଳିଲାନି କନ୍ୟାର ଘର,ଶିଶୁପାଳ ହୋଇ ଫେରିଲା ବର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତିସାରା ଖୋଜାଖୋଜି କରିବା ସତ୍ୱେ କନ୍ୟାଘର ନ ମିଳିବାରୁ ବର ଓ ବରଯାତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମୌ ସହରରେ ଘଟିଛି। ସୂଚନା ମୁତାବକ, ଡିସେମ୍ବର ୧୦ରେ ବିବାହ ପାଇଁ ବରଯାତ୍ରୀ ଦଳକୁ ନେଇ ବରପକ୍ଷ ଆଜମଗଡରୁ ମୌ ଅଭିମୁଖେ ଯାତ୍ରା କରିଥିଲେ। ତେବେ କନ୍ୟାପକ୍ଷର ଯେଉଁ ଠିକଣା ଦିଆଯାଇଥିଲା, ସେଠାରେ ପହଞ୍ଚିବାପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା। ପ୍ରବଳ ଶୀତ ସତ୍ୱେ ବର ଓ ବରଯାତ୍ରୀ ଦଳ ରାତିତମାମ କନ୍ୟାଘର ଠାବ କରିବାକୁ ଉଦ୍ୟମ ଜାରି ରଖିଥିଲେ। ଶେଷରେ କନ୍ୟାଘରର କୌଣସି ଠିକଣା ମିଳିନଥିବା କାରଣରୁ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ସେମାନଙ୍କର ସବୁ ରାଗ ମଧ୍ୟସ୍ଥିଙ୍କ ଉପରେ ଠୁଳ ହୋଇଥିଲା।
ଶନିବାର ରାତିରେ ଦୈବାତ୍ ମଧ୍ୟସ୍ଥତା କରିଥିବା ମହିଳା ଜଣକ ସେମାନଙ୍କ ହାବୁଡରେ ପଡିଥିଲେ। ପ୍ରବଳ ଗାଳିମନ୍ଦ କରିବା ସହ ବରପକ୍ଷ ଉକ୍ତ ମହିଳାଙ୍କୁ ରାତିତମାମ ଅଟକ ରଖିଥିଲେ। ଶେଷରେ ପୁଲିସର ହସ୍ତକ୍ଷେପ ଯୋଗୁଁ ମହିଳାଙ୍କୁ ମୁକ୍ତି ମିଳିଥିଲା। କନ୍ୟାପକ୍ଷ ତାଙ୍କୁ ଧୋକା ଦେଇଥିବା ମହିଳା ଜଣକ କୈଫିୟତ ଦେଇଛନ୍ତି। ଆପୋସ ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ ପୁଲିସ ବରପକ୍ଷଙ୍କୁ ପ୍ରସ୍ତାବ ଦେବାପରେ ଘଟଣାର ପରିସମାପ୍ତି ଘଟିଥିଲା। ମଧ୍ୟସ୍ଥିଙ୍କ ପରାମର୍ଶକ୍ରମେ ବରପକ୍ଷ କନ୍ୟାଙ୍କ ଘର ସମ୍ପର୍କରେ କୌଣସି ତଥ୍ୟ ହାସଲ ନକରି ବିବାହ ତାରିଖ ଚୂଡାନ୍ତ କରିଥିଲେ ବୋଲି ବରଙ୍କ ମାଆ କହିଛନ୍ତି। ତେବେ ବ୍ୟାଣ୍ଡପାର୍ଟି ଓ ଲାଇଟ୍ ବ୍ୟବସ୍ଥା କରିବାକୁ ବରଘର ପକ୍ଷରୁ କନ୍ୟାପକ୍ଷଙ୍କୁ ଦିଆଯାଇଥିବା ଅଗ୍ରିମ ୨୦,୦୦୦ ଟଙ୍କା ଚଳୁ ହେବାପରେ ସେମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Leave A Reply

Your email address will not be published.