ଭଦ୍ରକ ଚରମ୍ପା ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ, ୨ଜଣ ମୃତ ଓ ୬ ଗୁରୁତର

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଚରମ୍ପା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ରୁ ଅମିତ୍‌ ନାମକ ଏକ ବସ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ଏହି ବସ ଗତକାଲି ରାତି ପ୍ରାୟ ୩ଟା ବେଳେ ଭଦ୍ରକ ଜିଲ୍ଲା ଚରମ୍ପା ଲକ୍ଷ୍ମୀ ମନ୍ଦିର ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଓ ଅନ୍ୟଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ ଯାତ୍ରୀଙ୍କ ନାମ ଶିବନାରାୟଣ ମିଶ୍ର ଓ ତାଙ୍କ ଘର ଉତ୍ତର ପ୍ରଦେଶର ରାମନଗର ହୋଇଥିବା ବେଳେ ବସ ଡ୍ରାଇଭର ର ପରିଚୟ ମିଳି ପାରିନାହିଁ ।

ଦୁର୍ଘଟଣା ଖବର ପାଇ ଭଦ୍ରକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ଜଣେ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ତୀର୍ଥଯାତ୍ରୀ ଉତ୍ତର ପ୍ରଦେଶର ବାରବାଙ୍କିର।

Leave A Reply

Your email address will not be published.