ରାଜ୍ୟ କ୍ୟାବିନେଟ ବୈଠକ: ୨୦ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଶିଳ୍ପଆଇନରେ ସଂଶୋଧନ, ଉପକୃତ ହେବେ ୫୦ହଜାର ଶ୍ରମିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ବୈଠକରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ବିଭିନ୍ନ ଆଇନ୍ରେ ସଂଶୋଧନ, ବୃହତ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ସହ ଅନ୍ୟକେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି। ବୈଠକରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବାକୁ ଶିଳ୍ପ ଆଇନକୁ ସଂଶୋଧନ କରାଯାଇଛି। ଶିଳ୍ପାନୁଷ୍ଠାନ ପାଇଁ ଆଇପିଆର ଇନ୍ସେନଟିଭକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୦୦ ଶିଳ୍ପାନୁଷ୍ଠାନ ଏବଂ ପ୍ରାୟ ୫୦ ହଜାର ଶ୍ରମିକ ଉପକୃତ ହେବେ। ସେହିଭଳି କାରଖାନା ଆଇନରେ ମଧ୍ୟ ସଂଶୋଧନ କରାଯାଇ ଥ୍ରେସ ହୋଲ୍ଡ ଲିମିଟକୁ ଦୁଇଗୁଣା କରାଯାଇଛି। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଶିଳ୍ପାନୁଷ୍ଠାନରେ ଓଭର ଟାଇମ ସୀମା ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇ ଥିବା ବେଳେ ଏଣିକି ମହିଳାକର୍ମଚାରୀମାନେ କେତେକ ସର୍ତ୍ତରେ ନାଇଟ ସିଫ୍ଟ କରିପାରିବେ। ସେହିପରି ଶିଳ୍ପ ଆଇନରେ ନୂଆ ଧାରା ୫-(କ) ସଂଲଗ୍ନ କରାଯାଇଛି। ଏହାଦ୍ୱାରା ଆବଶ୍ୟକ ସ୍ଥଳେ ସରକାର କୌଣସି ଶିଳ୍ପାନୁଷ୍ଠାନକୁ ହଜାରେ ଦିନ ପାଇଁ ସବୁ ଆଇନରୁ ରିହାତି ଦେଇପାରିବେ। କିନ୍ତୁ ସେହି ହଜାରେ ଦିନ ମଧ୍ୟରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ଉତ୍ପାଦନକ୍ଷମ ହେବା ଆବଶ୍ୟକ। ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ଜମି ମିଳିବ। ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ସେମାନଙ୍କୁ ମାଗଣାରେ ଦିଆଯିବ।
କ୍ୟାବିନେଟ୍ରେ ରାଜ୍ୟର କେତୋଟି ବୃହତ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ନିଷ୍ପତ୍ତି ଅନୁଯାୟୀ, ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ମଞ୍ଜୁରୀ ପାଇଛି। ବିଜେପୁର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୧୩୮କୋଟି ଟଙ୍କାର ମଞ୍ଜୁରୀ କରାଯାଇଛି। ଏହି ପ୍ରକଳ୍ପ ହେଲେ ଚିର ମରୁଡି ପ୍ରପୀଡିତ ବିଜେପୁର, ସୋହେଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୨୫ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରିବ। ୩୦ ମାସ ଭିତରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ଆଗାମୀ ଦିନରେ ଆହୁରି ୭୦୦ କୋଟି ଟଙ୍କା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଦିଆଯିବ। ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ଦୃଢ଼ୀକରଣ ପାଇଁ ନିର୍ମଳ ଯୋଜନାକୁ ସଂଶୋଧନ କରାଯାଇଛି। ନିର୍ମଳ ଯୋଜନାର ସଫଳତାକୁ ଦେଖ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନା ଆରମ୍ଭ ହୋଇଛି। ଏଥିରେ ପାଞ୍ଚ ବର୍ଷରେ ୧୯୯୮ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ନିର୍ମଳ ଯୋଜନାରେ ରାଜ୍ୟର ମୋଟ ୧୮୧୨ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାମିଲ ହୋଇଥିଲା। ନିର୍ମଳ ପ୍ଲସ୍ ଯୋଜନାରେ ୪ଟି ନୂଆ ମେଡିକାଲ କଲେଜ, ୯ଟି ଆୟୁଷ କଲେଜ ଏବଂ ୩୨ଟି ନର୍ସିଂ କଲେଜ ଏହିଭଳି ମୋଟ ୪୫ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ୍ କରାଯାଇଛି। ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ତିନୋଟି ମେଡିକାଲ କଲେଜ ସହ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ତିନୋଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି। ସେହିପରି ଓଡ଼ିଶା ହେଲଥ ଆସ୍ୟୁରାନ୍ସ ସୋସାଇଟିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିର ହିତାଧିକାରୀମାନେ ସାମିଲ୍ ହୋଇଛନ୍ତି। ଏହାଦ୍ୱାରା ୭୦ ଲକ୍ଷ ପରିବାର ଉପକୃତ ହେବେ। ଏଥିରେ ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା ମିଳିବ। ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ।
ମହାମାରୀ ଆଇନରେ ରାଜ୍ୟ ସରକାର କରିଛନ୍ତି ସଂଶୋଧନ। ସମାଜିକ ଦୂରତା ଉଲ୍ଲଘନ ପାଇଁ କେତେକ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଥିଲା। ଏବେ ଆଇନର ସଂଶୋଧନ ପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ ହୋଇପାରିବ। ଆଜିର କ୍ୟାବିନେଟ ଏହି ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ସେପଟେ ପାନୀୟ ଜଳ ଯୋଜନାରେ ଗତ ୩ ବର୍ଷରେ ରାଜ୍ୟ ସରକାର ୨୪ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ୬୮୦୦ କ୍ଷୁଦ୍ର ଓ ୬୬ଟି ବୃହତ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହାଦ୍ୱାରା ରାଜ୍ୟର ୪୮ ପ୍ରତିଶତ ଲୋକ ଉପକୃତ ହେବେ। ବୈଠକରେ ଆଜି ୪ଟି ନୂଆ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୯ଟି ବ୍ଲକରେ ୮୨୭ କୋଟି ଟଙ୍କାର ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ମାଲକାନଗିରି ଜିଲ୍ଲା କାଲିମେଳା, ବୈପାରୀଗୁଡ଼ା, ମୟୂରଭଂଜ ଜିଲ୍ଲା ସାରସକଣା, ଗୋପବନ୍ଧୁନଗର, ବାଲେଶ୍ୱର ଜିଲ୍ଲା ଭୋଗରାଇ, ରାୟଗଡ଼ା ଜିଲ୍ଲା କାଶୀନଗର, ଗୁମ୍ମା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମୋଟ ୯୧୧ଟି ଗାଁ ଉପକୃତ ହେବେ। କୋରାପୁଟ, ମାଲକାନିଗିରି, ମୟୂରଭଞ୍ଜ ଗଜପତି, କଟକ ଓ ବାଲେଶ୍ୱରର ୯୧୧ଟି ଗାଁର ୬ ଲକ୍ଷ ୭ ହଜାର ଅଧିକ ଲୋକଏହି ପାନୀୟଜଳ ପ୍ରକଳ୍ପରୁ ସୁବିଧା ପାଇବେ। ସହରାଞ୍ଚଳରେ ୨୫ ପ୍ରତିଶତ ଲୋକ ବସ୍ତିରେ ରହୁଛନ୍ତି। ଏଥିପାଇଁ ପୌର ପରିଷଦର ବାର୍ଷିକ ବଜେଟର ୨୫ ପ୍ରତିଶତ ବସ୍ତିର ବିକାଶ ପାଇଁ ସଂରକ୍ଷିତ ରଖିବାକୁ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ପୌର ପରିଷଦ ଓ ମହାନଗର ନିଗମ ଆଇନରେ ସଂଶୋଧନ କରାଯାଇଛି।
ସେହିଭଳି ପୂର୍ବରୁ ଟ୍ରେଡ୍ ଲାଇସେନ୍ସ ପାଇଁ ସମୟ ଲାଗୁଥିଲା। ଏଣିକି ଆବେଦନ ଦିନ ହିଁ ବ୍ୟବସାୟ ପାଇଁ ପ୍ରୋଭିଜନାଲ ଲାଇସେନ୍ସ ପ୍ରଦାନ କରାଯିବ। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଗ୍ରୁପ ସି’ ପରୀକ୍ଷା ପାଇଁ ଆଉ ସାକ୍ଷାତକାର ହେବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ପୌରାଞ୍ଚଳରେ ଅନେକଗୁଡ଼ିଏ ପୁରୁଣା ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ପୌରାଞ୍ଚଳକୁ ନିଜସ୍ୱ ଆୟ ବୃଦ୍ଧି ପାଇଁ ସ୍ୱାଧୀନତା ଦିଆଯାଇଛି। ପୁରୀ ଐତିହ୍ୟ କ୍ଷେତ୍ର ପାଇଁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟୁ ୭୫ ମିଟର ପରିଧି ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଉଛି। ଉଚ୍ଛେଦ ହୋଇଥିବା ଲୋକଙ୍କ ପାଇଁ ମଙ୍ଗଳାଘାଟରେ ପୁର୍ନବାସ କଲୋନୀ ନିର୍ମାଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ୬.୬୧୬ ଏଜର ଜମି ମାଗଣାରେ ପ୍ରଦାନ କରିଛନ୍ତି। ଏହି ଜମି ଉପରେ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ହଟାଇ ଦିଆଯାଇଛି। ସେହିପରି ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇଦେବାକୁ ରାଜ୍ୟ ସରକାର ଗ୍ରୀଡକୋକୁ ଋଣ ଯୋଗାଇ ଆସୁଛନ୍ତି। ଏ ଭିତରେ ଗ୍ରୀଡକୋ ସବୁ ଋଣ ଫେରାଇ ସାରିବା ସହ ୩୬୦୮ କୋଟି ଟଙ୍କାର ଗ୍ୟାରେଣ୍ଟି ମଧ୍ୟ ପ୍ରତ୍ୟର୍ପଣ କରିଛି। ବର୍ତ୍ତମାନ ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରୀଡ୍କୋ ୧୫୦୦ କୋଟି ଟଙ୍କା ଋଣ କରିଥିବା ବେଳେ ଏହି ଋଣ ଉପରେ ସରକାରୀ ଗ୍ୟାରେଣ୍ଟିର ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ।

Leave A Reply

Your email address will not be published.