ରାଜ୍ୟ କ୍ୟାବିନେଟ ବୈଠକ, ୧୮ ଟି ପ୍ରସ୍ତାବକୁ ମୋହର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ଟନ୍ ଚାଉଳ ସଂଗ୍ରହ କରାଯିବ। ସେଥିପାଇଁ ଖରିଫ ଋତୁରେ ୫୪ ଲକ୍ଷ ଓ ରବି ଋତୁରେ ୧୭ଲକ୍ଷ ଟନ୍, ଏହିପରି ମୋଟ ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯିବ। ଏହାଠୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଦ୍ୱାରା ମଣ୍ଡିକୁ ଆସିବ ତେବେ ତାହାକୁ ମଧ୍ୟ ସରକାର କ୍ରୟ କରିବେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାସହ ୨୧୫ଟି ପୁରୁଣା ଆଇନ ଉଚ୍ଛେଦ, ଅବଢ଼ା ଯୋଜନା ମାଧ୍ୟମରେ ପୁରୀରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ୍ କମ୍ପେ୍ଲକ୍ସ ଏବଂ ଶ୍ରୀ ସେତୁ ସହ ମୂଷା ନଦୀର ସମ୍ପ୍ରସାରଣ ପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍କା, ଗ୍ରୀଡ୍କୋକୁ ୨୬୦୦ କୋଟିର ଋଣ ଗ୍ୟାରେଣ୍ଟି, ଷ୍ଟାଫ୍ ନର୍ସ ପଦବୀକୁ ପୁନଃନାମକରଣ ଆଦି ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଛି।

ଉକ୍ତ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଅକ୍ଟୋବର ୧ରୁ ଖରିଫ ଧାନ ସଂଗ୍ରହ ବର୍ଷ ଆରମ୍ଭ ହୋଇ ୨୦୨୧ ସେପ୍ଟେମ୍ବର ୩୦ରେ ଶେଷ ହେବ। ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୦-୨୧କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ଅନୁସାରେ ଚଳିତବର୍ଷ ୭୧ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ରେ ଉଭୟ ଖରିଫ୍ ଓ ରବି ଋତୁ ମିଶି ୭୦.୫୬ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର କାର୍ଡ ଏକମାତ୍ର ପରିଚୟପତ୍ର ହେବ। ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ କ୍ୱିଣ୍ଟାଲ୍ ପିଚ୍ଛା ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୧୮୬୮ ଓ ୧୮୮୮ ଟଙ୍କା ହାରରେ ଚାଷୀଙ୍କୁ ପ୍ରଦାନ କରାଯିବ।
ସେହିପରି ପରିବାରର ଖାଦ୍ୟଶସ୍ୟର ଆବଶ୍ୟକତା ପୂରଣ ପାଇଁ ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ କୌଣସି ବାଧ୍ୟବାଧକତା ରହିବ ନାହିଁ। ମିଲରମାନେ ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଚାଉଳ ଫେରସ୍ତ କରିବେ। ଏଫଏକ୍ୟୁ ମାନର ଧାନ ଏମଏସପିଠାରୁ କମ୍ ଦରରେ ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରାପ୍ୟ ମିଳିବ। ସେହିପରି ଦେୟ ବକେୟା ଥିଲେ ମିଲରମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାକୁ ଦିଆଯିବ ନାହିଁ। ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ସଂଗ୍ରହକାରୀ ସଂସ୍ଥା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

Leave A Reply

Your email address will not be published.