ଶୁଣନ୍ତୁ, ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡି କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସମଗ୍ର ଓଡ଼ିଶାବାସୀଙ୍କ ମନର ବ୍ୟଗ୍ରତା ରଥଯାତ୍ରାକୁ ନେଇ ବଢିବାରେ ଲାଗିଛି । କରୋନା ମହାମାରୀର ପ୍ରଭାବ ରଥଯାତ୍ରା ଉପରେ ପଡିବ ନାହିଁତ ଏହାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ମାତ୍ର ମହାପ୍ରଭୁଙ୍କ କେବଳ ଘୋଷଯାତ୍ରା ନୁହେଁ ସ୍ନାନ ଯାତ୍ରା ମଧ୍ୟ କିପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମୂଳପୀଠର କିଭଳି ବିଧି ରକ୍ଷାହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡିବ ।

ବିଶେଷଭାବେ ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ ସେଥିପାଇଁ ସେ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ବାସିନ୍ଦାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଡକ୍ଟର କୁମାର କହିଛନ୍ତି ଯେ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବାବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି । ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।

ରଥ ନିର୍ମାଣ ନେଇ ମିଳିଥିବା ସୂଚନା ଅନୁଯାୟୀ ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠାରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୧୪ ନାହାକା କାଠରେ ଚାରି କ’ଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବାପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ପୋଟଳ କଣ୍ଟା ପ୍ରସ୍ତୁତ ଚାଲିଛି ।

Leave A Reply

Your email address will not be published.