ଥାନା ଜଗିଛି ପୋଲିସ, ଆସାମୀ ଚମ୍ପଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଦାରେ ପଡିଲା କମିଶନରେଟ ପୁଲିସର ଅପାରଗତା । ଥାନା ଲକଅପରେ ଥିବା ଜଣେ କୁଖ୍ୟାତ ଗାଡି ଲୁଟେରା ପୁଲିସ ଉପରକୁ ହାତକଡି ଫିଙ୍ଗି ଚମ୍ପଟ ମାରିଛି । ଘଟଣାଟି ଚନ୍ଦ୍ରଶେଖରପୁର ଥାନାରେ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇପାରିନାହିଁ ।

ସୂଚନା ଅନୁସାରେ, ଏକ ହାଇପ୍ରୋଫାଇଲ ଗାଡି ଲୁଟେରା ଗ୍ୟାଙ୍ଗକୁ ସ୍ପେଶାଲସ୍କ୍ୱାଡ ଠାବ କରିଥିଲା । ଏହି ଗ୍ୟାଙ୍ଗର ୫ରୁ ଅଧିକ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଥିଲା । ସେମାନଙ୍କ ଠାରୁ ୪ରୁ ଅଧିକ ଗାଡି ଜବତ କରିବା ପରେ ଅଧିକ ତଦନ୍ତ ପାଇଁ ଗ୍ୟାଙ୍ଗକୁ ଚନ୍ଦ୍ରଶେଖପୁର ଥାନାକୁ ହାସ୍ତାନ୍ତର କରାଯାଇଥିଲା । ଅଧିକ ତଥ୍ୟ ହାସଲ ଲାଗି ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ।

ଗତକାଲି ଅପରାହ୍ନରେ ଥାନାରେ ସବଇନ୍ସପେକ୍ଟର ବେହେରା ବାବୁ ଓ ସହକର୍ମୀମାନେ ଡ୍ୟୁଟି କରୁଥିବା ବେଳେ ଅଭିଯୁକ୍ତ ଜଣକ କୌଣସି ପ୍ରକାରେ ହ୍ୟାଣ୍ଡକପ ଖୋଲି ତାହାକୁ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ଉପରକୁ ଫିଙ୍ଗି ଚମ୍ପଟ ମାରିଥିଲା । ପରେ ପୁଲିସ କର୍ମଚାରୀମାନେ ତାକୁ ପିଛା କରିଥିଲେ ମଧ୍ୟ ତାର ପତ୍ତା ପାଇନଥିଲେ । ତେବେ ଥାନା ଭିତରୁ ଅଭିଯୁକ୍ତ ଖସିଯିବା ଘଟଣାକୁ ଯଥାସମ୍ଭବ ଚପାଇବାକୁ ପୁଲିସ ଉଦ୍ୟମ କରିଥିଲା । ମାତ୍ର ଘଟଣାର ଦୁଇଦିନ ପରେ ଏବେ ଏହା ଲୋକଲୋଚନକୁ ଆସିଛି । ତେବେ ଖସିଥିବା ଅପରାଧୀ ଜଣକ କିଏ ଓ ତା’ ନାଁରେ କି ଅପରାଧ ରହିଛି, ସେନେଇ କେହି ମୁହଁ ଖୋଲୁନାହାନ୍ତି ।

ସେହିପରି କିଛିଦିନ ତଳେ ଏୟାରପୋର୍ଟ ଥାନାରୁ ଜଣେ ଅପରାଧୀ ଖସି ଯାଇଥିଲା । କୋର୍ଟ ଚାଲାଣ କରିବାକୁ ପୁଲିସ କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ସେ ଥାନା ଭିତରୁ କୌଶଳକ୍ରମେ ଖସି ପଳାଇଯାଇଥିଲା । ଫେରାର ଅଭିଯୁକ୍ତ ଜଣକ ପୁରୁଣା ଭୁବନେଶ୍ୱର ଅଂଚଳର ଅମିତ ସ୍ୱରୂପ ମହାପାତ୍ର ଓ ଏକ ହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ଥିବା ଜଣାପଡିଥିଲା । ତେବେ ପୁଲିସ ହେପାଜତରୁ ଗୋଟିକ ପରେ ଗୋଟିଏ ଅପରାଧୀ ଖସିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.