ଓଏଏସ ସ୍ତରରେ ଅଦଳବଦଳ

ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ୱାକଫ ବୋର୍ଡର ସିଇଓ ତଥା ସର୍ଭେ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ରାଜସ୍ୱ ଡିଭିଜନ କମିଶନରଙ୍କ ଅଫିସରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି ।
ସେହିପରି କେନ୍ଦ୍ରାଂଚଳ ଆରଡିସିଙ୍କ ସଚିବ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତିଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ୱାକଫ ବୋର୍ଡ ସିଇଓ ଓ ୱାକଫ୍ ସର୍ଭେ କମିଶନର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।
ଓଡ଼ିଶା ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ରାଜ୍ୟ ଏଲିମେଂଟାରୀ ଏଜୁକେସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକଙ୍କୁ ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି ହୋଇଛି ।
ପୂର୍ବତନ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଥିବା ତରଣୀସେନ ନାଏକଙ୍କୁ ଓଡ଼ିଶ ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟର ପୂର୍ବତନ ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଫିସର ଦରିଦ୍ରଭଞ୍ଜନ ଏମଏମ୍ ପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ସମବାୟ ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ସେନାପତିଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି ହୋଇଛି । କୋଟପାଡ଼ର ପୂର୍ବତନ ବିଡିଓ ଓଏଏସ୍ ଦାଶରଥୀ ସରବୋଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।