ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଛାତ୍ର ବିଜେଡି ଗୋଷ୍ଠି ବିବାଦ । ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ଛାତ୍ର ବିଜେଡ଼ିର ଗୋଟିଏ ଗୋଷ୍ଠି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଛନ୍ତି। ମେୟର ବାଣୀବିହାର ର ପୂର୍ବତନ ଛାତ୍ର ସଭାପତି ଚିନୁ ସାହୁ ଙ୍କ ଗୋଷ୍ଟି କୁ ସମର୍ଥନ କରୁଥିବାରୁ ତାଙ୍କୁ ତାଗିଦ କରାଯାଇଥିବା ଜଣାପଡିଛି।
ଛାତ୍ର ବିଜେଡି ଗୋଷ୍ଠି ବିବାଦ ଉଗ୍ର ହେବାରେ ଲାଗିଛି। ବାଣୀବିହାର କ୍ୟାମ୍ପସରୁ ଜଣେ ଛାତ୍ରଙ୍କୁ ଅପହରଣ କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସରୁ ବଜେଡିକୁ ଆସିଥିବା ବାଣୀବିହାର ର ପୂର୍ବତନ ଛାତ୍ର ସଭାପତି ନିଜ ପତିଆରା ପାଇଁ ବିଜେଡିର ପୁରୁଣା ଛାତ୍ର ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଏପରିକି ଚିନୁର ସମର୍ଥକ ମାନେ ପୋଲିସ କୁ ଚାପ ପକାଇ ବିଜେଡି ଜିଲ୍ଲା ଛାତ୍ର ସଭାପତି କଳ୍ପତରୁ ଓଝା ଓ ଅଜିତ ବେହେରା ଙ୍କ ସହ ଅନ୍ୟମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଏଥିରେ ମେୟରଙ୍କ ସମର୍ଥନ ଥିବା କୁହାଯାଉଛି।
ଏହାକୁ ନେଇ ଛାତ୍ର ବିଜେଡି ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ଲାଗି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ଏକ ବୈଠକ ବସିଥିଲା। ମେୟର ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଛାତ୍ର ବିଜେଡି କଥା ଉଠିବାରୁ ଛାତ୍ର ନେତାମାନେ ମେୟରଙ୍କୁ ଗାଳିଗୁଲଜ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ ହେବାରୁ ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ପରେ ମାମଲାର ଆସୁସମାଧାନ ହୋଇଥିଲା।
