ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ଲାଗି ସ୍ୱତନ୍ତ୍ର ଟିମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ସହରର ଦେଖିବାକୁ ମିଳିବେନି ଭିକ୍ଷାବୃତ୍ତି କରୁଥିବା ଶିଶୁ । ସହରରେ ଜନଗହଳି ସ୍ଥାନରେ ବୁଲି ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଉଦ୍ଧାର କରି ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯିବ । ଏଥିପାଇଁ କମିଶନରେଟ ପୋଲିସ ଓ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଖୁବଶୀଘ୍ର ଏହି ଅଭିଯାନ ଆରମ୍ଭ ହେବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ଶିଶୁ ଦିବସରେ ଚାଇଲ୍ଡ ଲାଇନ ପକ୍ଷରୁ ଆୟୋଜିତ ‘ଶିଶୁଙ୍କ ସହ ପୋଲିସର ବନ୍ଧୁତା’ କାର୍ଯ୍ୟକ୍ରମରେ ପୋଲିସ କମିଶନର ଏହା କହିଛନ୍ତି ।

ଶିଶୁ ଦିବସ ଅବସରରେ ରୁଚିକା ଚାଇଲ୍ଡ ଲାଇନ ତରଫରୁ ସପ୍ତାହେ ବ୍ୟାପି ‘ଶିଶୁ ସହ ବନ୍ଧୁତା କର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଇଲ୍ଡଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କ ନେତୃତ୍ୱରେ ସଦସ୍ୟମାନେ ପୋଲିସ କମିସନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ, ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣର କାର୍ଯ୍ୟକ୍ରମ ସଂଯୋଜିକା ସୁଜାତା ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକଙ୍କୁ ଭେଟି ବନ୍ଧୁତାର ଡୋର ବାନ୍ଧି ନିଜ ସୁରକ୍ଷାକୁ ସୁନିଶ୍ଚିିତ କରିଥିଲେ ।

ଚାଇଲ୍ଡ ଲାଇନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୋଲିସ କମିସନର ଶ୍ରୀମହାନ୍ତି ସ୍ୱାଗତ କରିଛନ୍ତି । କମିସନର ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିର୍ବୃତ୍ତ କରିବା ପାଇଁ ଶିଶୁ ଦିବସରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଉକ୍ତ ପୋଲିସ ଟିମ କଟକ ଓ ଭୁବନେଶ୍ୱରର ବିଭିନ୍ନ ଛକ, ବସଷ୍ଟାଣ୍ଡ, ରେଳଷ୍ଟେସନରେ ଚଢଉ କରି ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହାସହିତ ଚାଇଲ୍ଡ ଲାଇନର ଶିଶୁ ଓ କର୍ତ୍ତୃପକ୍ଷଙ୍କ ସହ ବନ୍ଧୁତା ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଚାଇଲ୍ଡ ଲାଇନର କୋଡିନେଟର ରୁଲିନା ପାତ୍ର, ସଂଯୋଜିକା ଇତିଶ୍ରୀ ଦାଶ ଓ ଟିମ ମେମ୍ବର ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.