ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ୍ ତାହାର ମହାକାଶ ଗବେଷଣା କ୍ଷେତ୍ରରେ ଖୁବଶୀଘ୍ର ଆଉ ଏକ ବଡ ସଫଳତା ହାସଲ କରିବାକୁ ଯାଉଛି। ଯଦି ସବୁକିଛି ଠିକ୍ ଚାଲେ, ତେବେ ଚୀନ ମହାକାଶ ଯାନ ତିଆନ୍ୱେନ୍-୧ ଆସନ୍ତା ଫେବୃଆରୀରେ ମଙ୍ଗଳ ଗ୍ରହର କକ୍ଷପଥରେ ପ୍ରବେଶ କରିବ। ୨୦୨୦ ଜୁଲାଇ ୨୩ରେ ପ୍ରକ୍ଷେପିତ ହୋଇଥିବା ଏହି ମହାକାଶଯାନ ଜାନୁଆରୀ ୩ ଅର୍ଥାତ ରବିବାର ସକାଳ ସୁଦ୍ଧା ପ୍ରାୟ ୪୦୦ ନିୟୁତ କିମି ଯାତ୍ରା କରିସାରିଲାଣି। ପାଞ୍ଚଟନ ଓଜନ ବିଶିଷ୍ଟ ଏହି ମହାକାଶଯାନରେ ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ରୋଭର ରହିଛି। ଏପର୍ଯ୍ୟନ୍ତ ତିଆନ୍ୱେନ୍-୧ର ସବୁ ଯନ୍ତ୍ରାଂଶ ସଠିକ୍ଭାବେ କାର୍ଯ୍ୟ କରୁଛି ଏବଂ ମଙ୍ଗଳ ଗ୍ରହର କକ୍ଷପଥକୁ ପ୍ରବେଶ କରିବାର ଠିକ୍ ଏକ ମାସ ପୂର୍ବରୁ ଏହାର ବେଗ କ୍ରମଶଃ ହ୍ରାସ ପାଇବ ବୋଲି ଚୀନର ଜାତୀୟ ମହାକାଶ ପ୍ରଶାସନ ସଂସ୍ଥା ପକ୍ଷରୁ କୁହାଯାଇଛି।
କକ୍ଷପଥରେ ପ୍ରବେଶ କରିବାପରେ ଅବତରଣ ନିମନ୍ତେ ପ୍ରକୃଷ୍ଟ ସ୍ଥାନ ମନୋନୀତ କରିବାକୁ ଏହି ଯାନ କକ୍ଷପଥରେ ପ୍ରାୟ ଦୁଇ ତିନି ମାସ ଚକ୍କର କାଟିବ ବୋଲି କୁହାଯାଇଛି।ଏଥିପାଇଁ ଉକ୍ତ ଯାନରେ ଉଚ୍ଚ ଶକ୍ତି ସମ୍ପନ୍ନ କ୍ୟାମେରା ଖଞ୍ଜଯାଇଛି। ଇତିମଧ୍ୟରେ ତିଆନ୍ୱେନ-୧ ମହାକାଶରୁ ପୃଥିବୀ ଓ ଚନ୍ଦ୍ରର ଏକାଧିକ ଫଟୋଚିତ୍ର ପଠାଇସାରିଲାଣି। ସୂଚନାଯୋଗ୍ୟ ପ୍ରଥମ ଏସୀୟ ରାଷ୍ଟ୍ରଭାବେ ଭାରତ ୨୦୧୩ ନଭେମ୍ବର ୫ରେ ମଙ୍ଗଳ ଗ୍ରହ ଉପଲକ୍ଷେ ‘ମଙ୍ଗଳଯାନ’କୁ ପଠାଇ ସାରିଛି। ୨୦୧୪ରୁ ଏହା ମଙ୍ଗଳ ଗ୍ରହର କକ୍ଷପଥରେ ପ୍ରଦକ୍ଷିଣ କରୁଛି। ଆମେରିକା, ରୁଷ, ଭାରତ ଓ ୟୁରୋପୀୟ ସଂଘ ପରେ ଚୀନ ବର୍ତ୍ତମାନ ମଙ୍ଗଳ ଗ୍ରହ ଅଭିଯାନରେ ନିଜକୁ ସାମିଲ କରିଛି।