ମୁଖ୍ୟମନ୍ତ୍ରୀ ଛାଡ଼ିଲେ ୨ବିଭାଗ ସୁଶାନ୍ତ ଙ୍କୁ ଦେଲେ ଉପହାର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିଜେପୁର ଉପ-ନିର୍ବାଚନ ପରେ ଆଜି ବଡଧରଣର ମନ୍ତ୍ରୀମଣ୍ଡଳ ଅଦଳ ବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଥିବା ପୂର୍ତ୍ତ ଓ ଜଳ ସଂପଦ ବିଭାଗକୁ ମଧ୍ୟ ଛାଡ଼ି ଦେଇଛନ୍ତି। ଅନେକ ଦିନରୁ ଏହି ଦୁଇଟି ବିଭାଗ ତାଙ୍କ ପାଖରେ ଜାବୁଡି ରଖିଥିଲେ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଜଳ ସଂପଦ ବିଭାଗ ଦିଆଯାଇଛି। ସେ ପୂର୍ବ ଭଳି ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ଏହା ସହିତ ସେ ପୂର୍ବଭଳି ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ଶିଳ୍ପ ବିଭାଗଟି ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ଅଧୀନରେ ଥିଲା।

ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ୍ତ ବିଭାଗ ମନ୍ତ୍ରୀ କରାଯାଇଛି। ତେବେ ପୂର୍ବଭଳି ସେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ରହିବେ। ତାଙ୍କ ହାତରୁ ଶକ୍ତି ବିଭାଗ କାଢ଼ି ନିଆଯାଇ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି।ତାଙ୍କ ହାତରେ ପୂର୍ବଭଳି ଶ୍ରମ ବିଭାଗ ମଧ୍ୟ ରହିବ।

ବିଜେପୁର ଆସନ ରେ ବିପୁଳ ବିଜୟ ପଛରେ ସୁଶାନ୍ତ ସିଂ ଙ୍କ ଅକ୍ଲାନ୍ତ ପରିଶ୍ରମ , ମନ୍ତ୍ରୀଙ୍କ ପରିବାର ଲୋକଙ୍କ ନିର୍ବାଚନ ଲଢ଼େଇ ରେ ସହଯୋଗ ଓ ସେ ଦଳର ସମ୍ମାନ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ମନ୍ତ୍ରୀ ଙ୍କ ତାଲିକା ରେ ସ୍ଥାନ ପାଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଲୋକ ସଂପର୍କ ଓ ସୂଚନା ପ୍ରସାରଣ ବିଭାଗ ବିକ୍ରମ କେଶରୀ ଆରୁଖ ଙ୍କ ଠାରୁ ଛଡ଼ାଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଛି।

Sikshaya
Leave A Reply

Your email address will not be published.