ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଆମକୁ ଖିରିରେ ବିଷ ମିଶାଇ ଦିଅନ୍ତୁ ଏଭଳି କ୍ଷୋଭ ଭରା ଅଭିଯୋଗ ଆଣିଛନ୍ତି କୌଳିକ ସେବାୟତ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସି କାଲି ଅପରାହ୍ନ ରେ ଦିଲ୍ଲୀ ଫେରି ଯାଇଛନ୍ତି। ଗତ କାଲି ସକାଳେ ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ମାତ୍ର ରାଷ୍ଟ୍ରପତି ଫେରିବା ପରେ ଦକ୍ଷିଣା ଓ ଶ୍ରୀଜିଉଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ଦାମୋଦର ମହାସୁଆର ଅଭିଯୋଗ ଆଣି କହିଛନ୍ତି ନିଷ୍ପତ୍ତି ଅନୁସାରେ ବ୍ୟବସ୍ଥିତ ଦର୍ଶନରେ ବ୍ୟତିକ୍ରମ ହୋଇଛି। କୌଳିକ ପଣ୍ଡାଙ୍କୁ ସେବା ସମ୍ପୂର୍ଣ୍ଣ କରିବାକୁ ଦିଆଗଲା ନାହିଁ। ଏଠି ସେବା କିଏ କରିବ? ଆମକୁ ବହି ଲେଖାଇ ଦେଲେନି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛି ମୁଖ୍ୟମନ୍ତ୍ରୀ କାହିଁକି ଆଖିବୁଜିକି ଶୋଇଛନ୍ତି? ଆମ ସେବାୟତମାନଙ୍କୁ ଖିରି ସାଙ୍ଗରେ ବିଷ ଦେଇ ମାରିଦିଅନ୍ତୁ। କୌଳିକ ପଣ୍ଡା ଭଗବାନ ଗୋଚ୍ଛିକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଉଣା ନମିଳିବାରୁ ସେବାୟତ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀ ତାଙ୍କ କାର୍ଯ୍ୟ କରିଛନ୍ତି।
ପୁରୀ ରୁ ଫେରିବା ପରେ ଅରୁଗୁଳ ଆଇ.ଆଇ.ଟି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିଲେ।