ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ

କୋଭିଡ୍ ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସମ୍ପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଅଞ୍ଚଳ ଭିତ୍ତିକ ରଣକୌଶଳ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ ପଜିଟିଭ୍ ହାର ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡ଼ିଶା ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି। ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି। ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା ସମସ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ରାଜ୍ୟରେ କୋଭିଡରେ
ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, କୋଭିଡ୍ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ଼ ସଫଳତା । ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ୍ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ୍ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ।
ଏଥିପାଇଁ ଟେଷ୍ଟ କିଟ୍ ସପ୍ଲାଏ ଚେନକୁ ଉତ୍ତମ ରୂପେ ପରିଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁହାର କମ୍ ରହିଛି। ଏହାକୁ ଆହୁରି କମ୍ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ସ୍ଥାପନ କରାଯାଉଥିବା କୋଭିଡ୍ କେୟାର ସେଣ୍ଟର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ପ୍ଲାଜମାଦାତାମାନଙ୍କର ମହାନ କାର୍ଯ୍ୟକୁ ସ୍ୱୀକୃତି ଦେଇ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। କୋଭିଡ୍ ହସ୍ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀଙ୍କ ସହିତ ସିଧାସଳଖ ଫୋନ୍ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼୍ ବ୍ୟାକ୍ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜମା ଥେରାପି ୟୁନିଟ୍ ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜମା ବ୍ୟାଙ୍କ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି। ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ ଏମ୍ଏସ୍ଏମ୍ଇ ସଂପର୍କରେ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ୍ ମୃତ୍ୟୁହାର୍ କମ୍ କରିବା ପାଇଁ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟ ଦ୍ୱାରା ୭ଟି ମେଡିକାଲ କଲେଜର ପ୍ରଫେସରମାନଙ୍କୁ ନେଇ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ୍ ଟିମ୍ ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ୍ ଚିକିତ୍ସାକୁ ଫଳପ୍ରଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପି.କେ ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକର କୋଭିଡ୍ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ୱରରେ ଏକ ପ୍ଲାଜମା ଷ୍ଟୋରେଜ୍ ୟୁନିଟ୍ ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା ମଧ୍ୟ କୋଭିଡ୍ ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଆଲୋଚନା ସଂଚାଳନ କରିଥିଲେ।

Leave A Reply

Your email address will not be published.