ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କଟକ-ଖୋର୍ଦ୍ଧାରେ ରଣନୀତିକୁ ସୁଦୃଢ କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪, ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟହାର ମଧ୍ୟ ୭୬.୭୮ ପ୍ରତିଶତରୁ ଅଧିକ ରହିଛି ଏବଂ ମୃତ୍ୟୁହାର ୦.୪୬ ପ୍ରତିଶତ ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ୍ ପରିଚାଳନା ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହିସବୁ ଆହ୍ୱାନକୁ ଦୃଷ୍ଟିରେ ରଖି କୋଭିଡ୍ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରନ୍ତୁ। ବର୍ଷା ଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖାଯବା ସହ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ କ୍ଲିନିକ୍ ଗୁଡିକୁ ଆଲର୍ଟରେ ରଖାଯାଉ। ଏହାସହିତ ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ୍ ପ୍ରୋଟୋକଲକୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରନ୍ତୁ। ଅନ୍ୟପକ୍ଷରେ ଗୁରୁତର କୋଭିଡ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତରେ ଥିବା ହସ୍ପିଟାଲରେ ହିଁ ଆଇସିୟୁ ବେଡର ବ୍ୟବସ୍ଥା ଏବଂ ଅତ୍ୟନ୍ତ ଗୁରୁତର ରୋଗୀ ଯେପରି ଆଇସିୟୁ ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ୱରରେ କର୍ମ·ରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ୍ କେସ୍ ବଢୁଥିବାରୁ ସମସ୍ତ କୋଭିଡ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମାସ୍କ ଓ ସାମାଜିକ ଦୂରତ୍ୱ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ମଧ୍ୟ ସତର୍କ କରାଯାଇଛି।
କୋଭିଡ୍ ସଂପର୍କରେ ଆଲୋଚନାରେ ଭାଗନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ ସୁଦୃଢ କରାଯାଉଛି ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର କୋଭିଡ ପରି·ଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ।

Leave A Reply

Your email address will not be published.