ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ନିବାସକୁ ଆସିଛି ବେନାମୀ ଚିଠି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ଷଡ଼ଯନ୍ତ୍ରରେ ପେସାଦାର ସୁପାରି କିଲର୍‌ଙ୍କୁ ନିୟୋଜିତ କରାଯାଇଛି । ଏହାର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର । ନବୀନଙ୍କୁ ହତ୍ୟା କରିବା ଲାଗି ବାରମ୍ବାର ପିଛା କରୁଛନ୍ତି । ସୁଯୋଗ ମିଳିଲେ, ହତ୍ୟା କରିବେ ।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଏଭଳି ଏକ ଚିଠି ନବୀନ ନିବାସରେ ପହଞ୍ଚିଛି । ଏହାକୁ ବେନାମୀ ବୋଲି କୁହାଯାଉଛି । ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଭୁବନେଶ୍ବରରେ ପହଞ୍ଚି ସାରିଛି । ତା’ ସତ୍ତ୍ବେ ଗୃହ ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠି କିଏ ପଠାଇଛି? କେଉଁଠୁ ଆସିଛି ? ତାହା ଜାଣିବା ଲାଗି ପୁଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୁଲିସ କମିସନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା । ନିର୍ଦ୍ଦେଶ ମିଳିବା ପରେ ପୁଲିସ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିସନରେଟ ପୁଲିସ ଘଟଣାର ଭିତିରିଆ ତଦନ୍ତ ଆରମ୍ଭ କରି‌‌‌ ତନାଘନା ଚଳାଇଛି । ନବୀନ ନିବାସ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଚିଠି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଇଂରାଜୀରେ ଲେଖାଯାଇଛି । କେତେକ ସୁପାରି କିଲର୍‌ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର ତିଆରି କରିଛନ୍ତି । ସେମାନେ ସମସ୍ତେ ପେସାଦାର ଅପରାଧୀ । ସେମାନଙ୍କ ନିକଟରେ ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ରହିଛି । ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର ହୋଇଥିବା ବେଳେ ସେ ବ୍ୟବହାର କରୁଥିବା ଗାଡ଼ିର ନମ୍ବର(ଏମ୍ଏଚ୪୯-ବିକେ-୫୨୯୫) ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହି ଗାଡ଼ିରେ ଅସ୍ତ୍ରଶସ୍ତ୍ର ଅଣାଯାଇଛି । ସେହିପରି ଅନ୍ୟ ଦୁଇଟି ଗାଡ଼ି(ନଂ ଓଡି୦୨-ଏସି-୪୫୨୫ ଓ ଓଡ଼ି୦୫-ଏସି-୮୭୦୧)ରେ ଅପରାଧୀମାନେ ବୁଲୁଛନ୍ତି । ଏମଏଚ୪୯-ବିକେ-୫୨୯୫ ଗାଡ଼ି ମହାରାଷ୍ଟ୍ର ନାଗପୁର ବାଥୋଡ଼ା ଲେ ଆଉଟ ଅଞ୍ଚଳର ନାଗେଶ୍ବର ଶାହୁଙ୍କର ବୋଲି ଜଣାପଡ଼ିଛି । ସେହିପରି ଓଡି୦୫-ଏଏ-୮୭୦୧ ଗାଡ଼ି କଟକ ବିଡ଼ାନାସୀ ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର ଏବଂ ଓଡି୦୨-ଏସି-୪୫୨୫ ଗାଡ଼ି ରାଉରକେଲା ଛେଣ୍ଡ୍‌ ଥାନା କଳିଙ୍ଗବିହାର ଅଞ୍ଚଳର ଧନଞ୍ଜୟ ପାଠକଙ୍କର ବୋଲି ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ଅପରାଧୀମାନେ ବାରମ୍ବାର ପିଛା କରୁଛନ୍ତି । ଯେକୌଣସି ମୁହୂର୍ତ୍ତରେ ହତ୍ୟା କରିପାରନ୍ତି । ତେଣୁ ସତର୍କ ରହିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠି ଓଡ଼ିଶାରୁ ଲେଖା ଯାଇଥିବା ଅନୁମାନ କରାଯାଉଛି । ଅଧିକ ତଥ୍ୟ ଜାଣିବା ଲାଗି ଚିଠିକୁ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ସୂଚନା ମିଳିଛି । ସେହିପରି ଚିଠିରେ ଦିଆ ଯାଇଥିବା ପ୍ରାୟ ୧୮ଟି ଗାଡ଼ିର ନମ୍ବରକୁ ଯାଞ୍ଚ କରାଯାଉଛି । ନବୀନ ନିବାସରେ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ପୂରା ନବୀନ ନିବାସକୁ ଚାରିପଟୁ ସଶସ୍ତ୍ର ପୁଲିସ ଜଗି ରହିଛନ୍ତି ।

Leave A Reply

Your email address will not be published.