ଦେଶର ହୋଇଛି ଗୋଷ୍ଠୀ ସଂକ୍ରମଣ- ଡକ୍ଟର ହର୍ଷବର୍ଦ୍ଧନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେତେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ କୋଭିଡ୍‌-୧୯ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। କିନ୍ତୁ ସାରା ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ତାଙ୍କର ସାପ୍ତାହିକ ସାମାଜିକ ଗଣମାଧ୍ୟମ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ ରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ରାଜ୍ୟର କେତେକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦର୍ଶାଇବା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ, ବିଭିନ୍ନ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଦେଖାଯିବା ସତ। ମାତ୍ର ଦେଶବ୍ୟାପୀ ଏଭଳି ଘଟିନାହିଁ। କେତେକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏମିତି ଘଟେ ବୋଲି ବିଶ୍ୱାସ କରାଯାଏ।
କେତେକ ରାଜ୍ୟର ବିଭିନ୍ନ ‘ପକେଟ୍ ’ରେ ଗୋଷ୍ଠୀ ସଂକ୍ରମଣ ରିପୋର୍ଟ ହୋଇଛି । ଦେଶ ସାରା ଏହା ଘଟୁନାହିଁ । ଭାରତରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଅସ୍ୱୀକାର କରୁଥିଲେ ମଧ୍ୟ ଜୁଲାଇ ମାସରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଦୃଢତାର ସହ କହିଥିଲେ । ଦୁଇ ଉପକୂଳବର୍ତ୍ତୀ ପଡ଼ାଗ୍ରାମ ଯଥା ପୁନ୍ତୁରା ଏବଂ ପୁଲ୍ଲିବିଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିଲା । ଜୁଲାଇ-ଅଗଷ୍ଟ ମାସରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆସାମ ପକ୍ଷରୁ ସୂଚନା ଦିଆଯାଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଷ୍ଠୀ ସଂକ୍ରମଣ ହେବା ସମ୍ପର୍କରେ ବିଳମ୍ବରେ କହିଛନ୍ତି ।
ଦୁର୍ଗାପୂଜା ପୂର୍ବରୁ ସେ ଜନସାଧାରଣଙ୍କୁ ଏଥିନେଇ ସଚେତନ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ କୋଭିଡ-୧୯ ସଂକ୍ରମଣର ୪ଟି ପର୍ଯ୍ୟାୟ । ପ୍ରଥମେ ଗତ ଜାନୁଆରୀରେ ଭାରତକୁ କରୋନା ଭୂତାଣୁ ଆସିଲା । ଜାନୁଆରୀ ୩୦ରେ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେଲା । ଦ୍ୱିତୀୟ ପର୍ଯ୍ୟାୟ ହେଉଛି ସ୍ଥାନୀୟ ସଂକ୍ରମଣ । ଯେଉଁ ଲୋକମାନେ ବିଦେଶ ଯାତ୍ରା କରିନଥିଲେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ । ତୃତୀୟ ପର୍ଯ୍ୟାୟ ହେଉଛି ଗୋଷ୍ଠୀ ସଂକ୍ରମଣ ଏବଂ ଚତୁର୍ଥ ପର୍ଯ୍ୟାୟ ମହାମାରୀ । ଭାରତରେ ଉପଯୁକ୍ତ ପଦକ୍ଷେପ ନିଆଯିବା ଯୋଗୁଁ ଦେଶ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

Leave A Reply

Your email address will not be published.