କଂଗ୍ରେସ ର ଭାରତ ବନ୍ଦ ଡାକରାକୁ ୧୭ ଦଳଙ୍କ ସମର୍ଥନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହା ୬ଟାରୁ ଆରମ୍ଭ ହୋଇଛି ଏବଂ ଅପରାହ୍ନ ୩ଟା ଯାଏଁ ଚାଲିବ । ପ୍ରାୟ ପ୍ରତିଦିନ ବଢ଼ୁଥିବାରୁ ତୈଳଦର ସାଧାରଣ ଲୋକଙ୍କୁ ଅତିଷ୍ଠ କରିଦେଲାଣି । ତେଣୁ ଆଜି କଂଗ୍ରେସ ତରଫରୁ ଭାରତ ବନ୍ଦକୁ ସାଧାରଣ ଜନତାଙ୍କ ସମର୍ଥନ ସହ ସିପିଏମ୍, ସିପିଆଇ, ମହାରାଷ୍ଟ୍ର ନବନିର୍ମାଣ ସେନା, ବିଏସ୍ପି, ଡ଼ିଏମକେ, ଆରଜେଡି, ଏନ୍ସିପି ଆଦି ୧୭ଟି ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । ଏହା ବ୍ୟତିତ କିଛି ପରିବହନ ସଂସ୍ଥା ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବନ୍ଦପାଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରଥିଲେ । ସେହିପରି ସରକାରୀ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପିସିସି ସଭାପତିଙ୍କ ନେତ୍ତୃତ୍ୱରେ ଏକ ଦଳ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଅପରପକ୍ଷରେ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ଏଜି ଛକରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା ।

ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ଟ୍ରେନ୍‌ ଅଟକାଇଛନ୍ତି। ଫଳରେ ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି।

ସେହିପରି କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି । ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରାରେ କଂଗ୍ରେସ ନେତା ମହମ୍ମଦ ମୁକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି।

Sikshaya
Leave A Reply

Your email address will not be published.