ଉଦଘାଟନୀ ଉତ୍ସବରେ ମୁହାଁମୁହିଁ ହେଲେ କଂଗ୍ରେସ ଓ ବିଜେଡି କର୍ମୀ

0



ଓଡ଼ିଶାଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ୫କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା ସୌଧ ଉଦ୍‌ଘାଟନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିଜ ଜିଲ୍ଲା କେନ୍ଦ୍ରାପଡ଼ା ଯାଇଥିଲେ । ଏହି ସମୟରେ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ସିଏଚ୍‌ସିସିରେ ମୋଟ ୭ଟି ଡାକ୍ତର ପଦବୀ ଥିବା ବେଳେ ଏବେ ମାତ୍ର ଦୁଇ ଜଣ ଡାକ୍ତର ଚିକିତ୍ସା କରୁଛନ୍ତି । ୫ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୁଖ୍ୟତଃ ପ୍ରସୂତି ଓ ଶିଶୁ ବିଭାଗରେ ଡାକ୍ତର ନଥିବା ଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବହୁଥର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଅଭିଯୋଗ କରାଯାଇଥିଲେ ବି ଏପର୍ଯ୍ୟନ୍ତ ଦାବି ପୂରଣ କରାଯାଇନାହିଁ । ଫଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବା ସମୟରେ ଉଭୟ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତର ପଦବୀ ପୂରଣ କରିବା ପରିବର୍ତ୍ତେ ନୂତନ ମେଡିକାଲ ତରବରିଆ ଭାବେ ଉଦ୍‌ଘାଟନ କରାଯିବାକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏଠାରେ ଆହୁରି ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.