କଂଗ୍ରେସର ତାଲିକା ପ୍ରକାଶ: ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ୨ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି । ସୋମବାର ସକାଳେ ବିଜେଡି ପକ୍ଷରୁ ଦୁଇଟି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଗତ ରବିବାର ବିଜେପି ଉଭୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ବାଲେଶ୍ୱର ଆସନ ପାଇଁ ଅନ୍ୟମାନଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ କଂଗ୍ରେସ ହାଇକମାଣ୍ଡର ମମତା କୁଣ୍ଡୁଙ୍କ ନାମ ଉପରେ ମୋହର ମାରିଛନ୍ତି । ଅନ୍ୟପଟେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ଦୁଇଟିଯାକ ଆସନରେ ପୁରୁଷଙ୍କୁ ପ୍ରାର୍ଥୀ କରାଯାଇଛି । କିନ୍ତୁ କଂଗ୍ରେସ ବାଲେଶ୍ୱର ଆସନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟ୍ ହାତେଇବା ଲକ୍ଷ୍ୟରେ ରହିଛି । ସେହିପରି ତିର୍ତ୍ତୋଲ୍‌ରୁ ଦଳ ଜଣେ ନୂଆ ଚେହେରାଙ୍କୁ ସାମ୍‌ନାକୁ ଆଣିଛି । ଉଭୟ ଆସନ ପାଇଁ ୩ରେ ଭୋଟ୍‌ଗ୍ରହଣ ହେବ ଓ ୧୦ରେ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.