କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭରୁ ବିବାଦ ଘେରରେ; ଏବେ ରାହୁଲ-ତାମିଲ ପାଦ୍ରୀଙ୍କ ସକ୍ଷାତକାରକୁ ନେଇ ବଢିଛି ରାଜନୀତି

0

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡ ଯାତ୍ରା’ । ତେବେ ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆରମ୍ଭରୁ ବିବାଦରେ ଛନ୍ଦି ହେବାରେ ଲାଗିଲାଣି । ନିଜ ଦାମି ଟି-ସାର୍ଟକୁ ନେଇ ଚର୍ଚ୍ଚାକୁ ଆସିଥିବା ଦଳୀୟ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ତାମିଲନାଡୁର କନ୍ୟାକୁମାରୀରେ ରାହୁଲ କ୍ୟାଥଲିକ ଚର୍ଚ୍ଚର ଫାଦରଙ୍କୁ ଭେଟି ଆଲୋଚନା କରିଥିଲେ, ତେବେ ଏହି ସକ୍ଷାତକାରରେ ପାଦ୍ରୀଜଣଙ୍କ ରାହୁଲଙ୍କୁ କହିଥିବା କଥାକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି ।

ଗତକାଲି ରାହୁଲ କନ୍ୟାକୁମାରୀ ଜିଲ୍ଲାର ପାଥେଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ପୋନିହାଙ୍କୁ ଭେଟିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାହୁଲ ବାର୍ତ୍ତାଳାପ ସମୟରେ ଏହି ପାଦ୍ରୀଜଣଙ୍କୁ ଯୀଶୁଙ୍କ ସତ୍ତା ସମ୍ପର୍କରେ ପ୍ରଶ୍ନ କରୁଛନ୍ତି । ରାହୁଲ ପଚାରୁଛନ୍ତି, କ‘ଣ ଯୀଶୁ ଇଶ୍ବରଙ୍କର ଏକ ରୂପ ବା ଅବତାର ? ଉତ୍ତରରେ ପାଦ୍ରୀ କହୁଛନ୍ତି, ଯୀଶୁ କୌଣସି ଅବତାର ନୁହନ୍ତି ବରଂ ସେ ହିଁ ପ୍ରକୃତ ଈଶ୍ବର । ତେବେ ଏହି ପାଦ୍ରୀଜଣଙ୍କ ପୂର୍ବରୁ ମଧ୍ୟ ଏପରି ଆପତ୍ତିଜନକ ଧର୍ମୀୟ ମନ୍ତବ୍ୟ ଦେଇ ବିବାଦର ଚର୍ଚ୍ଚାକୁ ଆସିଥିଲେ ।

ଗତବର୍ଷ ଏମିତି କିଛି ମନ୍ତବ୍ୟ କାରଣରୁ ତାଙ୍କୁ ଗିରଫ ମଧ୍ୟ ହେବାକୁ ପଡିଥିଲା । ଗତବର୍ଷ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଘୃଣାସୃଷ୍ଟିକାରୀ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁର ଡେ.ଏମ.କେ ସମେତ ଅନ୍ୟ କିଛି ରାଜନେତାଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଏହି ପାଦ୍ରୀ । ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏବେ ପୁଣି ସେ ରାହୁଲ ଗାନ୍ଧୀଙ୍କ ସହ କରିଥିବା ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

SOA post below
Leave a comment