ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯାଇ ସାରିଥିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଭାରତର ଟିକାକରଣ ରୋଡ ମ୍ୟାପ୍ ସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୨୦୨୧ ପ୍ରଥମ ୩ ମାସ ମଧ୍ୟରେ ଭାରତ ତା’ର ପ୍ରଥମ ଟିକା ପାଇ ସାରିଥିବ। ବିଶ୍ୱରେ ଏବେ ତିଆରି ଚାଲିଥିବା ୨୫୦ କରୋନା ଟିକା ମଧ୍ୟରୁ ଭାରତୀୟ ପାଣିପାଗକୁ ଦୃଷ୍ଟିରେ ରଖି ୩୦ଟି ଟିକା ପ୍ରସ୍ତୁତ ହୋଇଛି। ଏହାମଧ୍ୟରୁ ୫ଟି କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଭାରତରେ କରାଯାଉଛି। ଟିକାର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ହିଁ ଭାରତ ସରକାରଙ୍କ ମୂଳ ଏଜେଣ୍ଡା ବୋଲି ସେ କହିଛନ୍ତି।