ହୀରାକୁଦ ଡ୍ୟାମ୍ରେ ଫାଟ ! ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ବିରୋଧୀ

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ମୁଖ୍ୟ ମାଧ୍ୟମ ସାଜିଛି ହୀରାକୁଦ ଡ୍ୟାମ୍ । ବିଶ୍ବର ଏହି ଦୀର୍ଘତମ ମାଟିବନ୍ଧ ତଥା ବିଶ୍ବର ଚତୁର୍ଥ ବିଶାଳ ନଦୀବନ୍ଧ ପରିଯୋଜନା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ନଦୀବନ୍ଧର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ସରକାରଙ୍କ ଆଗରେ ଦାବି କରିଛନ୍ତି ବିରୋଧୀ ।
ହୀରାକୁଦ ଡ୍ୟାମ ସ୍ପିଲଓ୍ବେରେ ଫାଟ ସୃଷ୍ଟି ହୋଇଥିବା ନେଇ ଚିଠି କରିଛନ୍ତି ଡ୍ୟାମ ସେଫ୍ଟି ଚିଫ ଇଞ୍ଜିନିୟର ଶିବାଶିଷ ପାଢୀ । ମହାନଦୀ ବେସିନ, ବୁର୍ଲାର ଚିଫ୍ ଇଞ୍ଜିନିୟର ତଥା ବେସିନ ମ୍ୟାନେଜରଙ୍କୁ ଏହି ଚିଠି କରାଯାଇଛି । ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ ଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।
ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ସେ କହିଛନ୍ତି, “ହୀରାକୁଦ ଡ୍ୟାମ୍ରେ ଯଦି ଫାଟ ଆସିଥିବା କଥା ଯଦି ସତ, ତାହାରେ ଆଗକୁ ବଡ଼ ବିପଦ ରହିଛି । ଏହାକୁ ନେଇ ହୀରାକୁଦ ଡ୍ୟାମ ପରିଚାଳନା କରୁଥିବା କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ଚିତ୍ର ଦେଇ ନାହାନ୍ତି । ଯଦି ସତରେ ଫାଟ ସୃଷ୍ଟି ହୋଇଛି ତେବେ ରାଜ୍ୟ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ ।”