ଓଡିଶା ସମେତ ୮ରାଜ୍ୟରେ ପଡିପାରେ ‘ଅମ୍ଫାନ୍‌’ର ପ୍ରଭାବ, ବାଂଲାଦେଶରେ ମଧ୍ୟ ଆଲର୍ଟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁପର ସାଇକ୍ଲୋନ୍ ଅମ୍ଫାନ ଏବେ ପାରାଦୀପର ଦକ୍ଷିଣରେ ୫୨୦  କିଲୋମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରବଳ ବର୍ଷା ହୋଇପାରେ। ଓଡିଶା, ପଶ୍ଚିମବଙ୍ଗ ସମେତ ୮ଟା ରାଜ୍ୟରେ ପ୍ରଭାବ ପକାଇପାରେ ଅମ୍ଫାନ୍‌ । ଏଥି ସହ ଉପକୂଳବର୍ତ୍ତୀ ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛି। ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଛି ଅମ୍ଫାନ। ଏବେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା ଏବେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି ।ଆଗକୁ ମଧ୍ୟ ଏହା ଉତ୍ତର, ଉତ୍ତର- ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ ।

ଆଜି ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ଏହା ସମୁଦ୍ର ଭିତରେ ସୁପର ସାଇକ୍ଲୋନ୍ ଭାବେ ରହିବ । ଏହାପରେ ସାମାନ୍ୟ ଦୁର୍ବଳ ହୋଇ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ୍ ବା ଅତି ପ୍ରଳୟଙ୍କରୀ ବାତ୍ୟାରେ ପରିଣତ ହେବ । ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ସର୍ବାଧିକ ୧୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଏହାର ପ୍ରଭାବରେ ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ।ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ସକାଳୁ ଉତ୍ତର ଉପକୂଳ ଓଡ଼ିଶାରେ ୫୫ରୁ ୬୫ କିଲୋମିଟର ବେଗରେ ପବନ  ବହିବ ।ଏହା ସର୍ବାଧିକ ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ବାତ୍ୟା ଅମ୍ଫାନ୍‌କୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଆଜି ମଧ୍ୟ କ୍ୟାବିନେଟ୍‌ ସଚିବ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ଏନଡିଆରଏଫ ଏବଂ ପ୍ରତିରକ୍ଷା ବାହିନୀର ପ୍ରସ୍ତୁତି ବ୍ୟତୀତ ଶକ୍ତି ଏବଂ ଟେଲିକମ୍ ବିଭାଗକୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୯୯୯ ମହାବାତ୍ୟା ପରେ ‘ଅମ୍ଫାନ’ ହେଉଛି ବଙ୍ଗୋପସାଗରରେ ଦ୍ବିତୀୟ ମହାବାତ୍ୟା । ଓଡ଼ିଶା ଉପକୂଳର ୧୦୦ରୁ ୧୫୦ କିଲୋମିଟର ଦୂରତାରେ ଏହା ଗତି କରୁଥିବାରୁ ଉପକୂଳିଆ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ । ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ‘ଅମ୍ଫାନ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ୧୫୫ରୁ ୧୮୫ କିଲୋମିଟର ରହିବ ।

Leave A Reply

Your email address will not be published.