ଝିଅ ନମିତା, ଅଟଳଙ୍କୁ ଦେଲେ ମୁଖାଗ୍ନି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସାତଟି ରାଜ୍ୟରେ ଆଜି ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା । ସେହିପରି ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଖାଲି ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହି ଜନନାୟକ ପାଇଁ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ଶରୀର ସିନା ଇହଧାମ ତ୍ୟାଗ କରିଛି ମାତ୍ର ସେ ନିଜର ସରଳ, ନିଷ୍କଳଙ୍କ ଜୀବନ ପାଇଁ ସମସ୍ତଙ୍କ ହୃଦୟରେ ଯୁଗ ଯୁଗ ଯାଏଁ ବାଜପେୟୀ ଜୀବିତ ହୋଇ ରହିଥିବେ ।

ରାତି ସାରା ଅଟଳଙ୍କ ପାର୍ଥୀବ ଶରୀରର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବାପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦେଶର ଅନେକ ବିଶିଷ୍ଠ ଲୋକଙ୍କ ଗହଳି ଲାଗିରହିଥିଲା ।

ଆଜି ସକାଳୁ ତାଙ୍କ ମରଶରୀରକୁ ବିଜେପି କାର୍ଯ୍ୟାଳୟକୁ ଶେଷଦର୍ଶନ ପାଇଁ ଅଣାଯାଇଥିଲା । ସେଠାରେ ଦଳୀୟ ନେତା, କର୍ମୀ, ସମର୍ଥକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ । ଦିନ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଦିଲ୍ଲୀ ର ଯେଉଁ ରାସ୍ତାରେ ତାଙ୍କ ପାର୍ଥୀବ ଶରୀର ଯାଉଥିଲା ସେସମସ୍ତ ସ୍ଥାନ ଲୋକାରଣ୍ୟ ହୋଇରହିଥିଲା । ସମସ୍ତ ଙ୍କ ମୁହଁରେ କେବଳ ଗୋଟିଏ ନାରା ଥିଲା ‘ଅଟଳ ଜି ଅମର ରହେ’ ।

ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କର ଶେଷ କୃତ୍ୟ କାର୍ଯ ଆରମ୍ଭ ହୋଇଥିଲା । ସ୍ମୃତିସ୍ଥଳରେ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ଲୋକସଭା ବାଚସ୍ପତି ଆଦି ଅନେକ ବିଶିଷ୍ଠ ବ୍ୟକ୍ତି ବାଜପେୟୀ ଙ୍କୁ ଶେଷ ଶ୍ରଦ୍ଧାସୁମାନ ଅର୍ପଣ କରିବାପରେ ହିନ୍ଦୁ ରୀତି ଅନୁସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅଟଳ ଙ୍କ ପାଳିତ କନ୍ୟା ନମିତା ତାଙ୍କୁ ମୁଖାଗ୍ନି ଦେଇଥିଲେ । ଏହିସମୟରେ ଅଟଳ ଙ୍କ ନାତୁଣୀ ଓ ବିଭିନ୍ନ ଦେଶର ପ୍ରତିନିଧି ମଧ୍ୟ ସ୍ମୃତିସ୍ଥଳରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.