ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଦେବାଗାଁ ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଏକ ପାହାଡ ପାଖ ଚାକୁଣ୍ଡା ଗଛରୁ ଏକ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁସାରେ ରାଇଘର ବ୍ଲକ୍ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତର ବିରିସାଡ଼ି ଗ୍ରାମର ଲଳିତା ରାଉତ(୧୯) ଓ ଦୁଗୁଲିପାରା ଗ୍ରାମର ରମେଶ ରାଉତ (୨୧) ଦୁହେଁ ଦୂର ସମ୍ପର୍କୀୟ ଭାଇ ଭଉଣୀ।
ଗତକାଲି ସନ୍ଧ୍ୟାରେ ରମେଶ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ତାର ମୋବାଇଲକୁ କଲ କରିଥିଲେ ବି ସ୍ଵିଚ ଅଫ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ସେହିପରି ଦେବାଗାଁ ସରପଞ୍ଚ ସୁବାସ ଗଣ୍ଡଙ୍କ କହିବା ଅନୁସାରେ ଲଳିତା ମଧ୍ୟ ରାତିରେ ପରିବାର ସହ ଖାଇ ଶୋଇବାକୁ ଯାଇଥିଲା। ସକାଳୁ ଲଳିତାକୁ ନପାଇ ଘର ଲୋକେ ଖୋଜାଖୋଜି କରୁଥିଲେ। ରାତିରେ କୌଣସି କାରଣରୁ ଦୁଗୁଲୀପାରା ଓ ଚିକଲାପାରା ରାସ୍ତାରେ ଥିବା ଏକ ପାହାଡ ନିକଟରେ ଅବସ୍ଥିତ ଏକ ଚାକୁଣ୍ଡା ଗଛରେ ଗୋଟିଏ ଓଢଣୀ ସାହାଯ୍ୟରେ ଉଭୟେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖି ଖବର ଦେଇଥିଲେ।
ଉଭୟଙ୍କର ପରିବାରର ସଦସ୍ୟ ସେଠାରେ ପହଞ୍ଚିବା ସହ ରାଇଘର ପୁଲିସକୁ ଖବର ଦେଇଥିଲେ। ରାଇଘର ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ ଓ ଥାନା ଆଇଆଇସି ଅଭୟ କୁମାର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ପ୍ରେମ ପାଇଁ ଆତ୍ମ ହତ୍ୟା କରିଥିବା କୁହାଯାଉଛି।

Leave A Reply

Your email address will not be published.