ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ପୋଲିସ ତଦନ୍ତ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଅନେକ ଦ୍ଵନ୍ଦ ଲାଗିରହିଛି । ଅନ୍ୟକୁ ଆତ୍ମହତ୍ୟା ନକରିବାକୁ କହୁଥିବା ଆଦିତ୍ୟ ନିଜେ ଜୀବନ ହାରିବାକୁ କେହି ବିଶ୍ୱାସ କରିପାରୁନାହାନ୍ତି । ଆଦିତ୍ୟଙ୍କ ପତ୍ନୀଙ୍କ କହିବା ମୁତାବକ, କିଛିଦିନ ହେଲା ସେ ଘରୁ ବାହାରିବାକୁ ଭୟ କରୁଥିଲେ, ଏମିତି କି ବାଥରୁମକୁ ମଧ୍ୟ ଏକା ଯାଉନଥିଲେ । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାଙ୍କର କାହା ସହିତ ଶତ୍ରୁତା ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅପରପକ୍ଷରେ ଘର ଫ୍ରିଜରୁ ମୋବାଇଲ ଓ ଚାବି ମିଳିବା ପରେ ସେ ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଯଦି ଆତ୍ମହତ୍ୟା ନୁହେଁ, ତେବେ ଘରେ ଫୋନ ଓ ଚାବି ଲୁଚାଇଥିଲେ କାହିଁକି? ଯଦି ଆତ୍ମହତ୍ୟା, ତେବେ କାହିଁକି ସେ ଏତେ ବଡ ନିଷ୍ପତ୍ତି ନେଲେ? ଏହା ପଛରେ କି ରହସ୍ୟ ରହିଛି? ଆର୍ଥିକ ନା ମାନସିକ ଚାପ, ତାହାକୁ ଏବେ ବି ପ୍ରଶ୍ନବାଚୀ ହୋଇରହିଛି । ପୁଲିସ ମୃତ୍ୟୁର କାରଣ ଖୋଜୁଥିବା ବେଳେ ଶବ ବ୍ୟବଚ୍ଛେଦ ଆସିବା ପରେ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

ମୃତ୍ୟୁ ପର୍ଯ୍ୟନ୍ତ ଆଦିତ୍ୟ ସୋସିଆଲ ମିଡ଼ିଆରେ ଆକ୍ଟିଭ ଥିଲେ । ସେ ଶେଷଥର ଲାଗି ନିଜ ଫେସବୁକ ଫେଜରେ ‘ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ… କେହି ଜାଣି ପାରନ୍ତି ନାହିଁ’ ବୋଲି ଲେଖିଥିଲେ । ଏଇ କେତେକ ଧାଡ଼ି ଆଦିତ୍ୟଙ୍କର ଶେଷ କଥା ହୋଇ ରହିଯିବ । ଆଦିତ୍ୟ ଦାଶ ଓରଫ୍ ମାନବପ୍ରେମୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଥିଲେ । ତାଙ୍କର ଗୋଟିଏ ଗୋଟିଏ ଭିଡିଓ ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଉଥିଲା । ଖୁବଅଳ୍ପ ଦିନରେ ସେ ରାଜ୍ୟର ଯୁବବର୍ଗଙ୍କ ପାଖରେ ପହଞ୍ଚିପାରିଥିଲେ । ତାଙ୍କର ବିଭିନ୍ନ ମୋଟିଭେସନାଲ ଭିଡ଼ିଓକୁ ଯୁବପୀଢିମାନେ ପସନ୍ଦ କରିବା ସହ ଅନ୍ୟ ଏକ ପ୍ରସଙ୍ଗ ଉପରେ ଭିଡ଼ିଓ କରିବା ଲାଗି ପରାମର୍ଶ ଦେଉଥିଲେ । ତେବେ ବିବାହ ପରେ ନିଜ ପତ୍ନୀଙ୍କ ସହ ‘ଉତ୍ତମ ସମ୍ପର୍କରେ ଭୁଲ ବୁଝାମଣା’ ବିଷୟରେ ଏକ ଭିଡିଓ କରି ସେ ଫ୍ୟାନମାନଙ୍କ ସହ ଶେୟାର କରିଥିଲେ । ଫଳରେ ତାଙ୍କ ମୃତ୍ୟୁକୁ ଆତ୍ମୀୟ ଓ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପତ୍ନୀ ବିଦ୍ୟାଶା କହିଛନ୍ତି, ଦୁନିଆ ଜାଣିଛି ଆମ ଭଲ ପାଇବା କ’ଣ । ସେମିତିକା ଭଲ ପାଇବା ମୋତେ କେଇ କେବେ ଦେଇପାରିବେନି । କେତେ କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସେ ମୋ ହାତ ଧରିଥିଲେ । ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଥିଲି । ସେ କହିଛନ୍ତି ଯେ, ତାଙ୍କର କେମିତି ମୃତ୍ୟୁ ଘଟିଲା ଆମେ କିଛି ଜାଣିନୁ । ଆମେ ନିଜେ ବି ଆଶ୍ଚର୍ଯ୍ୟ । ଖାଲି କହୁଥିଲେ ମୋତେ ଡର ଲାଗୁଛି । ହେଲେ ସୋମବାର ସେ ମୋତେ ବହୁତ ଭଲ ପାଇଲେ । ମୋ ମୁଣ୍ଡ ଆଉଁସି ଖୁଆଇ ଦେଲେ । ଆମେ ଦୁହେଁ ସାଙ୍ଗ ହୋଇ ଖାଇବାକୁ ବି ଯାଇଥିଲୁ । ତେବେ ତାଙ୍କର ମୃତ୍ୟୁର କାରଣ ସେ ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କର ସୋସିଆଲ ମିଡ଼ିଆ ଫ୍ୟାନଙ୍କୁ ବିଶେଷ ମର୍ମାହତ କରିଛି ।

ଆଦିତ୍ୟ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ପରିବାର ଲୋକେ ଓ ସମ୍ପର୍କୀୟମାନେ ଏହାକୁ ଅସ୍ୱିକାର କରିଛନ୍ତି । ସେମାନେ କହିଛନ୍ତି, କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏନେଇ ଆଦିତ୍ୟ ମଧ୍ୟ ଆତ୍ମହତ୍ୟା କେବେ ସମାଧାନ ନୁହେଁ ବୋଲି ଏକ ପୋଷ୍ଟ ଶେୟାର କରିଥିଲେ । ଅନ୍ୟପଟେ ତାଙ୍କ ପେଜ୍ ପୋଷ୍ଟଗୁଡ଼ିକୁ ଦେଖିଲେ ଆଦିତ୍ୟ କେବେ ଆତ୍ମହତ୍ୟା କରିଥିବେ ବୋଲି ସହଜରେ କେହି ବିଶ୍ୱାସ କରିବେ ନାହିଁ । ତେବେ ଆତ୍ମହତ୍ୟା ବିରୋଧରେ ସୋସିଆଲ ମିଡିଆରେ ମୋଟିଭେସନାଲ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେଶୀଘ୍ର ଚାଲିଯିବେ ବୋଲି ବିଶ୍ୱାସ କରିପାରୁ ନାହାନ୍ତି । ଆଦିତ୍ୟ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ବା ତାଙ୍କର ହତ୍ୟା ହୋଇଛି ଏବଂ ଫ୍ରିଜ ଭିତରକୁ ମୋବାଇଲ ଓ ଚାବି କେମିତି ଆସିଲା? ଆଦିତ୍ୟ ଘରୁ ଯିବା ପୂର୍ବରୁ ଏହାକୁ ଫ୍ରିଜରେ ରଖିଥିଲେ ନା ଆଉ କିଏ ରଖିଦେଇଛି? ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.