ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆ କୃଷି ଆଇନକୁ ନେଇ ୨୦୨୦ ନଭେମ୍ବର ୨୬ ତାରିଖ ଠାରୁ ଚାଲିଥିବା ଆନ୍ଦୋଳନ ନେଇ ଆଜି ଅପରାହ୍ଣରେ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ଚାଷୀ ଆନ୍ଦୋଳନକୁ ଆଜି ୪୦ ଦିନ ହୋଇଥିବା ବେଳେ ଏହାର ପୂର୍ବରୁ ୬ଟି ପର୍ଯ୍ୟାୟରେ ଆଲୋଚନା ସରିଛି। ଆଜି ଅପରାହ୍ଣ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀନେତା ଓ ସରକାରଙ୍କ ମଧ୍ୟରେ ୭ମ ପର୍ଯ୍ୟାୟରେ ଆଲୋଚନା ହେବ।
ଏହା ପୂର୍ବରୁ ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଗତ ମାସ ୩୦ ତାରିଖରେ ବୈଠକ ହୋଇଥିଲା। ଏହି ବୈଠକରେ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ବିଦ୍ୟୁତ ଦର ବୃଦ୍ଧି ଓ ନଡା ଜଳାଇବା ଉପରେ ଦଣ୍ଡକୁ ନେଇ ଚାଷୀଙ୍କ ଯେଉଁ ଚିନ୍ତା ଥିଲା, ତାହାର ସମାଧାନ ହୋଇଥିଲା। କିନ୍ତୁ ଅନ୍ୟ ୨ଟି ବଡ଼ ଦାବିର ସମାଧାନ ହୋଇପାରି ନଥିଲା। ଚାଷୀଙ୍କ ଦାବି ଯେ, ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଓ ତିନି କୃଷି ଆଇନକୁ ବାତିଲ କରାଯାଉ।
ଏହାରି ମଧ୍ୟରେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଜଣେ ଚାଷୀ ନେତା ମନଜୀତ ସିଂହ ରାୟ କହିଛନ୍ତି ଯେ, ଆମେ ଜାନୁଆରୀ ୧୩ ତାରିଖରେ ନୂଆ ଆଇନର କପି ଜଳାଇ ଲୋହଡି ପର୍ବ ପାଳନ କରିବୁ। ରାୟ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ କେବଳ ଜାନୁଆରୀ ୬ରୁ ୨୦ ଯାଏଁ ଚାଷୀଙ୍କ ସମର୍ଥନରେ ଦେଶବ୍ୟାପୀ ଧାରଣା-ପ୍ରଦର୍ଶନ ଆୟୋଜନ କରନ୍ତୁ। ସେ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଜାନୁଆରୀରେ ‘ଆଜାଦ ହିନ୍ଦ କିସାନ ଦିବସ’ ଭାବେ ପାଳନ କରିବେ।

Prev Post