ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେବଗଡ଼ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପ୍ରୟାସରେ ପୌରପରିଷଦ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ୱାର୍ଡ ସ୍ତରରେ ତଦାରଖ କରାଯାଇ ପ୍ରତ୍ୟେକ ଘରୁ ଅଳିଆ ଆବର୍ଜନା ସଂଗ୍ରହ କରାଯାଉଥିଲେ ମଧ୍ୟ କେତେକ ଅମାନିଆ ଅଭ୍ୟାସଗତ ଭାବେ ରାସ୍ତା କଡରେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି। ସଫେଇ କର୍ମଚାରୀମାନେ ମଧ୍ୟ ଅଳିଆ ସଫା ପାଇଁ ହାତ ଟେକି ଦେଇଥିଲେ। ପ୍ରତ୍ୟେକ ଦିନ ସକାଳୁ ଅଳିଆ ସଂଗ୍ରହ ପାଇଁ ବ୍ୟାଟେରି ଚାଳିତ ଗାଡି ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହ ଉକ୍ତ ଅଳିଆକୁ ମୋ ଖତ ଯୋଜନାରେ ଜିଆ ଖତ ପ୍ରସ୍ତୁତ କରି ଏହାକୁ ବିକି ପୌରପରିଷଦର ଆୟ ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି।
କେତେକ ଅମାନିଆଙ୍କ ଯୋଗୁଁ ପୌରପରିଷଦର ଏହି ଅଭିଯାନରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା। ଏହାର ସମାଧାନ ପାଇଁ ପୌର ପ୍ରଶାସକ ତଥା ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସହ ଆଲୋଚନା ପରେ ପୌର କର୍ମଚାରୀମାନେ ପୌରାଞ୍ଚଳର ବିଭିନ୍ନ ୱାର୍ଡ ରାସ୍ତା କଡରେ ଅଳିଆ ଗଦା ଜମା କରୁଥିବା ସ୍ଥାନ ମାନଙ୍କରେ ଗୋବର ଦେଇ ସଫା କରି ତୁଳସୀ ଗଛ ଲଗାଇବା ସହ ଉକ୍ତ ସ୍ଥାନରେ ପଥର ପୋତି ଫୁଲ ସିନ୍ଦୂର ଦେଇ ବାଟ ମଙ୍ଗଳା ଠାକୁରାଣୀ ସ୍ଥାପନ କରିଛନ୍ତି। ତେବେ ପୌରପରିଷଦର ଏହି ନିଆର ଉଦ୍ୟମ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିବା ସହ ସହରର ବିଭିନ୍ନ ରାସ୍ତା କଡରେ ଗଦା ହେଉଥିବା ଅଳିଆ ଆବର୍ଜନା ସ୍ଥାନ ଏବେ ପବିତ୍ର ସ୍ଥଳୀ ପାଲଟିଛି।

Prev Post