ହେଲିକପ୍ଟରକୁ ନେଇ ବିଧାନସଭା ଅଚଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଜୟନ୍ତଙ୍କ ଚିଲିକା ଉପରେ ହେଲିକପ୍ଟର ଉଡାଣକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିଲା ।
ଏହାକୁ ବିରୋଧ କରି ବିଜେଡି ସଦସ୍ୟମାନେ ଗୃହ ତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ ।

ହେଲିକପ୍ଟର ଉଡାଣକୁ ନେଇ ସଂଜୟ ଦାସବର୍ମା କହିଛନ୍ତି ‘ଚିଲିକା ବିରଳ ଡଲଫିନ, ମତ୍ସ୍ୟସଂପଦ ଏ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥଳୀ । ଏହା ପ୍ରକୃିତର ଏକ ଅପୂର୍ବ ଦାନ । ୩ ଲକ୍ଷ ମତ୍ସ୍ୟଜୀବି ଚିଲିକା ଉପରେ ନିର୍ଭର କରୁଛନ୍ତି । ଚିଲିକାକୁ ବଞ୍ଚାଇବା ପାଇଁ ବିଜୁ ବାବୁ ସିଡିଏ ଗଠନ କରିଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ସି ପ୍ଲେନ ପ୍ରକଳ୍ପକୁ ଆମେ ବିରୋଧ କରିଥିଲୁ । ସି ପ୍ଲେନ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପୂର୍ବରୁ ଏଭଳି ଘଟଣା ଦୁର୍ଭାଗ୍ୟପୂର୍ଣ ‘। ଏହା ସହ ଶ୍ରୀ ବର୍ମା ଆହୁରି କହିଛନ୍ତି ‘ ଅଭିଜିତ ଆୟରଙ୍କ ଭିଡ଼ିଓ ଯଦି ସତ ହୋଇଥାଏ ତେବେ ଓଡିଆ ହିସାବରେ ଆମେ କଦାପି ବରଦାସ୍ତ କରିବୁନି । ବିଶ୍ୱ ଐତିହ୍ୟ ଭାବେ ସ୍ଥାନ ପାଇଥିବା କୋଣାର୍କର କଳାକୃତି କୁ ପରିହାସ କରିବା ଓ ରାମ ମନ୍ଦିରରେ ଏଭଳି କଳାକୃତିକୁ ସ୍ଥାନ ଦିଆ ଯିବନାହିଁ ବିବୃତ୍ତି କୋଟି କୋଟି ଓଡିଆଙ୍କ ପାଇଁ ଚ୍ୟାଲେଞ୍ଜ । ଗୃହରେ ଏବିଷୟରେ ସହମତି ହେବା ଦରକାର ‘।

ସେହିପରି ବିରୋଧୀ ଦଳର ନେତା ନରସିଂହ ମିଶ୍ର ଶୂନ୍ୟକାଳରେ କୋଣାର୍କ ଓ ଶ୍ରୀମନ୍ଦିର ଉପରେ ଚପର ଉଡାଇବା ଏବଂ ସୋସିଆଲ ମିଡିଆରେ ଅଭିଜିତ ଆୟରଙ୍କ ଆପତିଜନକ ବିବୃତ୍ତିକୁ ବିରୋଧ କରିଛନ୍ତି । ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟା କହିଛନ୍ତି ଏହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆଘାତ କରିଛି ।

ଚିଲିକା ପାଣିର ଅତି ନିକଟରେ ହେଲିକପ୍ଟର ଉଡାଇବା ନେଇ ଅଭିଯୋଗ ହେବା ପରେ ଆଜି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଉଡ଼ାଇବାର ଭିଜୁଆଲ ସାମ୍ନାକୁ ଆସିଛି । ହେଲିକପ୍ଟରରେ ବସିଥିବା ଅଭିଜିତ ଆୟାର ମିତ୍ର ନାମକ ଜଣେ ବ୍ୟକ୍ତି ଟୁଇଟରରେ ଭିଜୁଆଲ ପୋଷ୍ଟ କରିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ଉଡୁଥିବା ବେଳେ ମଧ୍ୟ ଏହି ବ୍ୟକ୍ତି ସେହି ହେଲିକପ୍ଟରରେ ବସିଥିଲେ ।

ଏହି ବ୍ୟକ୍ତି ଜଣକ କୋଣାର୍କ ମନ୍ଦିର ଆଗରେ ଛିଡାହୋଇ ଏହା ଏକ ପବିତ୍ର ସ୍ଥାନ ନୁହେଁ ବୋଲି କହିଛନ୍ତି । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । ଏଭଳି ଅଶାଳୀନ ମନ୍ତବ୍ୟ ନେଇ ଟୁଇଟରରେ ଛାଡିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

Leave A Reply

Your email address will not be published.