ପାର୍ସଲ ବୋମାର ଶେଷ ହେଲା ନାଟ୍ୟ ରୂପାନ୍ତର ପୁଞ୍ଜିଲାଲ ଯିବେ ଜେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ପୁଞ୍ଜିଲାଲ ମେହେର ପାଟଣାଗଡ ବୋମା ବିସ୍ଫୋରଣର ଡେମୋ ଦେଖାଇଛି । କ୍ରାଇମବ୍ରାଞ୍ଚ ଆଇଜିଙ୍କ ଆଗରେ ସେ ଡେମୋ ପ୍ରଦର୍ଶନ କରିଥିବା ବେଳେ ଏହାର ଭିଡିଓ ରେକଡିଂ କରାଯାଇଥିଲା ।
ପାଟଣାଗଡସ୍ଥିତ ତାଙ୍କ ଘରୁ ରାୟପୁର ପାର୍ସଲ ବୁକିଂ ପର୍ଯ୍ୟନ୍ତ ସମସ୍ତ ଘଟଣାର ସେ ଡେମୋ ଦେଖାଇଥିଲା ।

ଶନିବାର ଭୋରୁ କ୍ରାଇମବ୍ରାଞ୍ଚ ଟିମ ପୁଞ୍ଜିଲାଲଙ୍କୁ ନେଇ କଣ୍ଟାବାଞ୍ଜି ଯାଇଥିଲେ । ସେଠାରେ କିଛି ସମୟ ଡେମୋ ଦେଖାଇବା ପରେ ସକାଳ ପ୍ରାୟ ୮ଟା ବେଳେ ତାଙ୍କୁ ପୁରୀ-ଦୁର୍ଗ ଏକ୍ସପ୍ରେସ ରେ ରାୟପୁର ନିଆଯାଇଥିଲା । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ସହ ରାୟପୁର ଯାଇଥିଲେ । ଏହି ସ୍ୱତନ୍ତ୍ର ପୋଲିସ ଟିମରେ ବଲାଙ୍ଗୀର ପୋଲିସର ସାଇଣ୍ଟିଫିକ ବିଶେଷଜ୍ଞମାନେ ମଧ୍ୟ ଯାଇଥିଲେ ।

ଟ୍ରେନରୁ ଓହ୍ଲାଇବା ପରେ ସେ ଗେଟରେ ବାହାରକୁ ଯାଇଥିଲେ ଏବଂ କେଉଁଠୁ ରିକ୍ସା ନେଇଥିଲେ ସବୁ ଘଟଣାର ଡେମୋ ଦେଖାଇଥିଲେ । ପାର୍ସଲ କେଉଁଠି ଓ କେମିତି ବୁକିଂ କରିଥିଲେ, ତାହା ମଧ୍ୟ ଡେମୋ ମାଧ୍ୟମରେ ଦେଖାଇଥିଲେ । ଡେମୋ ଦେଖାଇବା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ନେଇ ରିକ୍ସା ଓ ଅଟୋ ଚାଳକଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା ମଧ୍ୟ ସେମାନଙ୍କୁ ଚିହ୍ନଟ କରିପାରିନଥିଲେ । କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଏବେ ବି ରିକ୍ସା ଓ ଅଟୋ ଚାଳକଙ୍କୁ ଠାବ କରିବାକୁ ଉଦ୍ୟମ କରୁଛନ୍ତି ।

ଗତ ତିନିଦିନ ହେଲା କ୍ରାଇମବ୍ରାଞ୍ଚ ଟିମ ପୁଞ୍ଜିଲାଲଙ୍କୁ ପାଟଣାଗଡରେ ରଖି ପଚରାଉଚରା କରୁଥିଲା । ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ ପୁଞ୍ଜିଲାଲଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା । ସେଠାରେ ଛାନଭିନ କରିବା ସହ ସେ କେଉଁଠି ଓ କେମିତି ବୋମା ପ୍ରସ୍ତୁତ କରୁଥିଲେ, ତାହାର ଡେମୋ ଦେଖିଥିଲେ । ପରେ ନିଜେ ଆଇଜି ଅରୁଣ ବୋଥ୍ରା ପୁଞ୍ଜିଲାଲଙ୍କ ପତ୍ନୀକୁ ଜେରା କରିଥିଲେ ।

ଆଜି ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ କ୍ରାଇମବ୍ରାଞ୍ଚ ହାତରେ ସମୟ ନଥିବାରୁ ତାଙ୍କୁ ମାରାଥନ ଜେରା କରିବା ସହ ଘଟଣାସ୍ଥଳକୁ ନେଇ ଛାନଭିନ କରୁଛି । ଏଥିସହିତ ପୁଞ୍ଜିଲାଲଙ୍କ ସହ ସାମନ୍ୟତମ ଲିଙ୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରଥିବା ଜଣାପଡିଛି।

Sikshaya
Leave A Reply

Your email address will not be published.