ଅନଲାଇନ ମୁଣ୍ଡରେ ଅଠାବୋଳି ଖସିଯିବାକୁ ୟୁସିଡିଏ ସଭାପତି ଓ ସମ୍ପାଦକଙ୍କ ପ୍ରୟାସ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ନକଲି ଜିନିଷର ହବ ବା ପେଣ୍ଠସ୍ଥଳ ପାଲଟିଛି କଟକ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସିମେଣ୍ଟ ପର୍ଯ୍ୟନ୍ତ ଅନେକ ନକଲି ଜିନିଷ ଜବତ ହେଲାଣି କଟକରୁ । ମାତ୍ର ଜୀବନ ରକ୍ଷା ପାଇଁ ଖାଉଥିବା ଔଷଧ ଯଦି ନକଲି ହୁଏ ତେବେ ରୋଗୀର ଅବସ୍ଥା ଯେ କ’ଣ ହେବ ତାହା ଚିନ୍ତାର ବିଷୟ । କାରଣ ଏଥର କୌଣସି ନକଲି ଖାଦ୍ୟ ସାମଗ୍ରୀ ଠାବ କରାଯାଇଥିବା ନେଇ ଅଭିଯୋଗ ଆସିନାହିଁ । ଏଥର ଜୀବନ ରକ୍ଷା କରୁଥିବା ଔଷଧ ନକଲି ଥିବା ନେଇ ଅଭିଯୋଗ ଆସୁଅଛି । ମାତ୍ର କିଛିଟା ଟଙ୍କା ଲୋଭରେ ରୋଗୀଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି କିଛି ଅସାଧୁ ବ୍ୟବସାୟୀ । ଏବଂ ଏହି ନକଲି ଔଷଧ କାରବାର ପଛରେ ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ(ୟୁସିଡିଏ)ର କିଛି ସକ୍ରିୟ ସଦସ୍ୟଙ୍କ ସଂପୃକ୍ତି ଥବା ନେଇ ଅଭିଯୋଗ ଆସିଛି । ୟୁସିଡିଏ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ସଂଘର ସଭାପତି ଓ ସମ୍ପାଦକ ଯଥାସମ୍ଭବ ଚେଷ୍ଠା ଆରମ୍ଭ କରିଛନ୍ତି । ସଭାପତି ପି. ସତ୍ୟନାରାୟଣ, ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଏସବୁ ଘଟଣା ପାଇଁ ଅନଲାଇନ ବ୍ୟବସାୟ ମୁଣ୍ଡରେ ଅଠା ବୋଳିବାକୁ ପ୍ରୟାସ କରିଛନ୍ତି । ହେଲେ ଲୁଚିଛି ନା ଗୋଡ ଦି’ଟା ଦିଶୁଛି ନ୍ୟାୟରେ ତାଙ୍କର ଏହି ଅପଚେଷ୍ଠା ପରୋକ୍ଷରେ ଧରାପଡିଯାଇଛି ।

ଗୁରୁବାର ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ନିଜ ମୁଣ୍ଡରୁ ଦୋଷ ଛଡାଇ କହିଥିଲେ, ସରକାରଙ୍କ ‘ଏକ୍ ନେସନ ଏକ୍ ଟ୍ରାକ୍ଟ’ ଆଧାରରେ ଯେ କୌଣସି ବ୍ୟବସାୟୀ ଜିଏସ୍‌ଟି ଭରି ଯେକୌଣସି ସ୍ଥାନରୁ ଜିନିଷ କିଣିପାରିବେ । କିନ୍ତୁ କିଛି ଅସାଧୁ ମୁନାଫାଖୋର ବ୍ୟବସାୟୀ ଏହାର ସୁଯୋଗ ନେଇ ବିଭିନ୍ନ ସ୍ଥାନରୁ ନକଲି ଔଷଧ ଆମଦାନୀ କରି ବିକ୍ରି କରିବା ଆରମ୍ଭ କଲେ । କମ୍ପାନୀ ପଞ୍ଜିକୃତ ବ୍ୟବସାୟୀଙ୍କୁ ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ(ୟୁସିଡିଏ) ତଦାରଖ କରିବା ସମ୍ଭବ । କିନ୍ତୁ ଅଣପଞ୍ଜିକୃତ ବ୍ୟବସାୟୀଙ୍କ ହିସାବ ରଖିବା ସମ୍ଭବ ନୁହେଁ । କାରଣ ସଂଘ ଅଗୋଚରରେ ସେମାନେ ତାଙ୍କୁ କଳା ସାମ୍ରାଜ୍ୟ ବିଛାଇଛନ୍ତି ।

ଯଦି ସଂଘର ଏକଥା ସତ, ତେବେ କଟକର ଦୁଇ ହୋଲସେଲର ପୂଜା ଏଣ୍ଟର ପ୍ରାଇଜେସ ଓ ଭିଆର ଏଜେନ୍ସି କ’ଣ ପଞ୍ଜିକୃତ ନୁହେଁ କି? ଯଦି ଏହି ଦୁଇ ହୋଲସେଲର ଅଣପଞ୍ଜିକୃତ ତେବେ ଏମାନଙ୍କୁ ସଂଘର ସକ୍ରିୟ ସଦସ୍ୟତା ଦିଆଗଲା କେମିତି? ସଂଘର ସଦସ୍ୟତା ଦେବା ବେଳେ କ’ଣ ସଂସ୍ଥା ପଞ୍ଜିକୃତ କି ନାହିଁ, ତାହା ମାନ୍ୟବର ସଭାପତି ଓ ସାଧାରଣ ସମ୍ପାଦକ ଜାଣିପାରିନଥିଲେ? ସଂଘର ସମସ୍ତ ସଦସ୍ୟଙ୍କୁ ନିୟମିତ ଭାବେ ନକଲି ଠାରୁ ଦୂରେଇ ରହିବାକୁ ସଚେତନ କରାଯାଉଥିବା ସଭାପତି କହିଥିଲେ । ଯଦି ସଂଘ ଏଭଳି ସଚେତନ କରୁଥିଲା, ତେବେ ଏହି ଦୁଇ ହୋଲସେଲର ସଭାପତି ଓ ସାଧାରଣ ସମ୍ପାଦକଙ୍କ କଥାକୁ ଗ୍ରହଣ କଲେନି କାହିଁକି? ନାଁ ଏହା ପଛରେ ସଂଘର କେହି ପ୍ରଭାବଶାଳୀ ସଦସ୍ୟଙ୍କ ହାତ ରହିଛି ? ସଂଘ କହିଛି, ଅନ୍‌ଲାଇନ ଔଷଧ ବ୍ୟବସାୟ ନିୟମାନୁଯାୟୀ ବୈଧ ନୁହେଁ ତଥାପି ଅନେକ କମ୍ପାନୀ ରିହାତି ଦରରେ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ସରକାର ସେଥିପ୍ରତି ବିମୁଖ । ନିଜର ବ୍ୟବସାୟ ପ୍ରତିଷ୍ଠାନ ବଞ୍ଚାଇ ରଖିବା ପାଇଁ ସମସ୍ତେ ରିହାତି ଦରରେ ଔଷଧ କିଣିବା ପାଇଁ ଚେଷ୍ଟିତ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ନାମୀଦାମୀ କମ୍ପାନୀର ପ୍ୟାଙ୍କି ବ୍ୟବହାର କରି ରିହାତି ଦରରେ ନକଲି ଔଷଧ ବିକ୍ରି କରୁଛନ୍ତି । ଆମ ସଭ୍ୟ ବିଲରେ ଔଷଧ କିଣିଛନ୍ତି ଏବଂ ବିଲରେ ବିକ୍ରି କରୁଛନ୍ତି । ସେମାନେ ଜାଣିବାର ଅବକାଶ ନାହିଁ ଏହା ଅସଲି କିମ୍ବା ନକଲି । ଭେଷଜ ବିଭାଗରେ ଥିବା ଅଫିସର କିମ୍ବା କର୍ମଗରୀ ମଧ୍ୟ ସେତିକି ନାହାଁନ୍ତି ଯିଏକି ପୁଙ୍ଖାନୁପୁଙ୍ଖ ତର୍ଜମା କରିପାରିବେ ।

ସଂଘ କହିଥିବା ଉପରୋକ୍ତ କଥା ଠିକ୍‌, ସଂଘ ସଭ୍ୟଙ୍କର ଅସଲି ଓ ନକଲି ଜାଣିବାର ଅବକାଶ ନାହିଁ । ହେଲେ ନିୟମ ଅନୁଯାୟୀ ଅନଲାଇନ ମେଡିସିନ ବୈଧ ନୁହେଁ ଜାଣି ସେମାନେ କିଣିଲେ କେମିତି? ଅଫଲାଇନ ଅପେକ୍ଷା ଅନଲାଇନରେ ମାତ୍ରାଧିକ ରିହାତିରେ ମେଡିସିନ ମିଳିବା ଏକ ସନ୍ଦେହଜନକ କଥା, ଏହାକୁ ସେମାନେ ହାଲକା ଭାବେ ନେଲେ କିପରି? ଅନ୍ୟ ଜିନିଷ କଥା ଭିନ୍ନ, ହେଲେ ଜୀବନରକ୍ଷାକାରୀ ମେଡିସିନ କଥା ଆସିଲେ, ଏହାର ତର୍ଜମା ହେବାର ଆବଶ୍ୟକ ରହିଛି । ହେଲେ ସଂଘର ସଭ୍ୟ ଏହାର ତର୍ଜମା ନକରି ଅଧିକ ମୁନାଫା ଆଶାରେ ନକଲି କାରବାର କରିଛନ୍ତି । ସଂଘ ଏହାକୁ ମାନିବାକୁ ନାରାଜ କାହିଁକି? ଯଦିଓ ସଂଘ ନକଲି କାରବାରକୁ ନିନ୍ଦା କରିଛି ଏବଂ ଏଭଳି ବ୍ୟବସାୟରେ ସଂପୃକ୍ତ ଥିବା ସଭ୍ୟଙ୍କୁ ବରଖାସ୍ତ କରିଛି, ତଥାପି ଦୋଷ ମୁଣ୍ଡକୁ ନେବାକୁ ନାରାଜ । ଯଦି ଏହି ନକଲି କାରବାର ପଛରେ ସଂଘର କିଛି ଭୂମିକା ନାହିଁ, ସଂଘ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିର୍ମଳ, ତେବେ ସାମ୍ବାଦିକ ସମ୍ମିଳନୀରେ କିଛି ବଛା ବଛା ସାମ୍ବାଦିକଙ୍କୁ ଦାମୀ ଉପହାର ଦେଉଥିଲେ କାହିଁକି? କିଛି ଆଗଧାଡିର ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ଲୁଚାଇ ଛପାଇ ଗିପ୍ଟ ଦେଉଥିଲେ କ’ଣ ପାଇଁ । ଗିପ୍ଟ ଦେଇ- ବିରିୟାନି ଖୁଆଇ ନିଜ ସପକ୍ଷରେ ଖବର ପ୍ରକାଶ କରିବାକୁ ସଭାପତି ଓ ସାଧାରଣ ସମ୍ପାଦକଙ୍କ ଏହା ଏକ ଚାଲ ନୁହେଁ କି? ତେବେ ମୁଣ୍ଡରୁ ଦୋଷ ନଖସାଇ ସଂଘ ଭୁଲ ସ୍ୱୀକାର କରିବା ସହ ଭବିଷ୍ୟତରେ ଏଭଳି ଘଟଣାକୁ କିପରି ଏଡାଯାଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

SOA post below
Leave a comment