ଫ୍ୟାଶନ ମାଗାଜିନ୍ ‘ କସ୍‌ମୋପଲିଟାନ୍‌ ’ ର କଭର ପେଜରେ ଦୂତୀ ଚାନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଫ୍ୟାଶନ ଓ ଏଣ୍ଟରଟେନ୍‌ମେଣ୍ଟ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର ଇଣ୍ଡିଆ ଏଡିଶନ କଭର୍‌ ଷ୍ଟୋରିରେ ସ୍ଥାନ ପାଇଛନ୍ତି ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ । ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଏହି ଓଡ଼ିଆ କ୍ରୀଡାବିତ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ଦୂତୀ ଏହି ମାଗାଜିନର କଭର୍‌ ପେଜ୍‌ର ପୋଷ୍ଟର ଗାର୍ଲ ହେବା ସହ ପତ୍ରିକାର ମୁଖ୍ୟପ୍ରସଙ୍ଗରେ ରହିଛନ୍ତି । ଜୁଲାଇ ମାସର କସ୍‌ମୋପଲିଟାନ୍‌ ସଂସ୍କରଣରେ ଦୂତୀଙ୍କ ସମ୍ପୂର୍ଣ୍ଣ ଜୀବନ କାହାଣୀ ସ୍ଥାନ ପାଇଛି ।

ଦୂତୀ ରନିଂ ଟ୍ରାକ୍‌ରେ ସ୍ପୋର୍ଟସ୍‌ ଓ୍ବେର୍‌ ପିନ୍ଧିବା ସହ ମଲ୍ଟିକଲର୍‌ ରଫଲ୍ଡ ଲେୟାର୍‌ଡ କେପ୍‌ରେ ପୋଜ୍‌ ଦେଇଛନ୍ତି । ଜଣେ କ୍ରୀଡାବିତ୍‌ ଭାବେ ସେ ନିଜକୁ କିଭଳି ଗଢି ତୋଳିଛନ୍ତି ଓ ତାଙ୍କ ଜୀବନ କାହାଣୀକୁ ସେ ଏହି କଭର୍‌ ଷ୍ଟୋରି ମାଧ୍ୟମରେ କହିଛନ୍ତି । ଏହାଛଡା କିଛିଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତୀଙ୍କ ନିଆରା ପ୍ରେମ କାହାଣୀକୁ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି । ୨୦୧୮ ଏସିଆନ୍‌ ଗେମ୍‌ସରେ ଭାରତକୁ ଦୁଇଟି ରୌପ୍ୟ ପଦକ ଜିତାଇଥିବା ଦୂତୀ ଚାନ୍ଦଙ୍କୁ କସ୍‌ମୋପଲିଟାନ୍‌ ପକ୍ଷରୁ ‘ଇଣ୍ଡିଆସ୍‌ ସାଇନିଂ ଷ୍ଟାର୍‌ ଆଣ୍ଡ୍‌ ଫାଷ୍ଟ୍‌ ଓପନ୍‌ଲି-ଗେ ଆଥ୍‌ଲେଟ୍‌’ର ଆଖ୍ୟା ଦିଆଯାଇଛି । ଅର୍ଥାତ୍‌ ଭାରତର ଉଜ୍ଜ୍ୱଳ ତାରକା ଓ ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍‌ ଭାବେ ତାଙ୍କୁ ବର୍ଣ୍ଣନା କରାଯାଇଛି । ଗତ କିଛିମାସ ହେଲା ଦୂତୀ ନିଜର ପ୍ରେମ ସମ୍ପର୍କକୁ ସାଧାରଣରେ ଖୋଲାଖୋଲିଭାବେ ସ୍ବୀକାର କରିଥିଲେ । ଏହାଦ୍ୱାରା ଦୂତୀ କେବଳ ଟ୍ରାକ୍‌ ମଧ୍ୟରେ ଜଣେ କ୍ରୀଡାବିତ୍‌ ଭାବେ ନୁହେଁ, ବରଂ ଅନ୍ୟ ମହିଳା କ୍ରୀଡାବିତ୍‌ ଓ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.