ଏନ୍‌କାଉଣ୍ଟର, ଲିଟୁ ଗୋଡ଼ରେ ବାଜିଲା ଗୁଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ ଗଡାର ତିଖିରି ରାସ୍ତାରେ ହୋଇଛି ଏନ୍‌କାଉଣ୍ଟର । ମାର୍ଶାଘାଇ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଏହି ଏନକାଉଣ୍ଟର କରିଛନ୍ତି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରଫ ଲିଟୁ ଆହତ ହୋଇଛି । ଲିଟୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ ମାର୍ଶଘାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଦୁର୍ଦାନ୍ତ ଅପରାଧୀ ଲିଟୁ ଦାସ ପୋଲିସ ଆଖିରେ ଧୂଳିଦେଇ ଖସି ପଳାଉଥିବା ବେଳେ କେନ୍ଦ୍ରାପଡା ସ୍ପେସାଲ ସ୍କ୍ୱାର୍ଡ ପୋଲିସ ଓ ମାର୍ଶାଘାଇ ପୋଲିସ ତାର ପିଛା କରିଥିଲେ । ଏହି ସମୟରେ ଲିଟୁ ଦାସ ପୋଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମାର୍ଶାଘାଇ ଆଇ.ଆଇ.ସିଙ୍କ ପାଲଟା ଗୁଳିରେ ଲିଟୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ।

ଲିଟୁର ଘର ସ୍ଥାନୀୟ ଗରଜଙ୍ଗା ଗାଁରେ । ତା’ ନାଁରେ ଦାଦାବଟି ଆଦାୟ, ଚୋରି, ହତ୍ୟା ଧମକ, ହତ୍ୟା ଉଦ୍ୟମ, ବୋମାମାଡ଼ ପରି ବିଭିନ୍ନ ମାମଲା ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଛି । ଏନକାଉଣ୍ଟର ପରେ ପୁଲିସ ଲିଟୁ ପାଖରୁ ଏକ ବନ୍ଧୁକ ଓ ବାଇକ୍‌ ଜବତ କରିଛି । ଗତ ୧୬ ତାରିଖରେ ଜେଲ୍‌ରୁ ଫେରିବା ପରେ ପାଟକୁରା ଥାନା ଅନ୍ତର୍ଗତ ଧନିଆପଡ଼ା ଓ ବଟିରା ଗାଁରେ ଦାଦାବଟି ପାଇଁ ଧମକଚମକ ଦେଇଥିବା ନେଇ ତା’ ନାଁରେ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.