କର୍ଣ୍ଣାଟକ ର ରାଜନୈତିକ ନାଟକ ଶେଷ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୁଇଦିନ ପରେ କର୍ଣ୍ଣାଟକ ର ରାଜନୈତିକ ନାଟକ ର ଅନ୍ତ ଘଟିଛି। ବି.ଏସ୍.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ସକାଳ ୯ଟାରେ ରାଜଭବନରେ ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି.ନଡ୍ଡା ଉତ୍ସବରେ ଉପସ୍ଥିତ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ବିଜେପି ସଭାପତି ଅମିତ୍ ଶାହା କେହି ଉପସ୍ଥିତ ନଥିଲେ।

ଘଟଣା କ୍ରମେ

ଗତକାଲି ରାତିରେ ରାଜ୍ୟପାଳ ଶ୍ରୀ ବାଲା ବିଜେପି ବିଧାୟକ ଦଳ ନେତା ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସହ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ୍ କୋର୍ଟ ଯାଇଥିଲେ । ଅଭିଷେକ ସିଙ୍ଗଭିଙ୍କ ପିଟିସନ୍ କୁ ରାତି ଗୋଟାଏ ବେଳେ ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ବିଚାର ପାଇଁ ଅନୁମତି ଦେଇ ଏକ ତିନିଜଣିଆ ବେଞ୍ଚ ଗଠନ କରିଥିଲେ । ଏହି ବେଞ୍ଚରେ ଜଷ୍ଟିସ୍ ଜଷ୍ଟିସ୍ ଏସ.ଏ ବବଡ଼େ , ଏ.କେ.ସିକ୍ରି ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ଥିଲେ। ଉଭୟ ପକ୍ଷର ଯୁକ୍ତିକୁ ଦୀର୍ଘ ସାଢ଼େ ତିନିଘଣ୍ଟା ଧରି ଶୁଣିବା ପରେ ପାହାନ୍ତା ପ୍ରାୟ ୫ଟାରେ ତିନିଜଣିଆ ବେଞ୍ଚ ସେମାନଙ୍କ ରାୟ ଦେଇଥିଲେ । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଡିଭିଜନ୍ ବେଞ୍ଚ ମନା କରିଦେଇଥିଲେ । ଶୁକ୍ରବାର ଦିନ ୧୦ଟାକୁ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାସହ ୟେଦୁରପ୍ପାଙ୍କୁ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କ ତାଲିକା ପ୍ରଦାନ ଓ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦେଇଥିବା ଦୁଇଟି ଚିଠିକୁ ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ର ମିଡ଼ନାଇଟ୍ ଶୁଣାଣିରେ ଏହା ହେଉଛି ଦ୍ୱିତୀୟ ମାମଲା । ପୂର୍ବରୁ ୟାକୁବ୍ ମେନନ୍ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ରାତିଅଧିଆ ଶୁଣାଣି କରିଥିଲେ ।

ଆଜି ସକାଳେ ବି.ଏସ୍.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ କଂଗ୍ରେସର ପାର୍ଟି ଏହାର ପ୍ରତିବାଦ କରି କର୍ଣ୍ଣାଟକ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ରେ ବସିଛନ୍ତି।

Leave A Reply

Your email address will not be published.