ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ବୁଧବାର ୭ମ ଦିନରେ ପହଞ୍ଚିଛି। ଗତ ମଙ୍ଗଳବାର ସରକାରଙ୍କ ସହିତ ଆଲୋଚନା ବିଫଳ ହେବାପରେ ଚାଷୀମାନେ ଅଧିକ ଉଗ୍ର ହୋଇଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ(ୟୁପି) ସୀମାରେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଦିଲ୍ଲୀର ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେମାନେ ଜିଦ୍ରେ ଅଡି ବସିଛନ୍ତି। ଗତ ମଙ୍ଗଳବାର ସିନ୍ଧୁ ଏବଂ ଟିକରୀ ସୀମା ସହିତ ନୋଏଡା-ଚିଲ୍ଲା ସୀମାକୁ ବି ସିଲ୍ କରିଦିଆଯାଇଛି। ସେମାନେ ସୀମା ନିକଟରେ ଥିବା ଗୌତମ ବୁଦ୍ଧ ଦ୍ବାର ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୋଏଡା ଲିଙ୍କ୍ ରୋଡ୍ ନିକଟରେ ଚିଲ୍ଲା ସୀମାକୁ ବୁଧବାର ବନ୍ଦ କରିଦିଆଯାଇଛି।୨୪ ନମ୍ବର ଜାତୀୟ ରାଜପଥ ନେଇ ନୋଏଡା ଯିବାଲାଗି ଲୋକଙ୍କୁ କୁହାଯାଉଛି। ଅନ୍ୟପଟେ ସିନ୍ଧୁ ସୀମାରେ ଚାଷୀଙ୍କ ବିକ୍ଷୋଭ ଜାରି ରହିଛି।
ଗତକାଲିର ଆଲୋଚନା ବିଫଳ ହେବା ପରେ ବୁରାଡ଼ି ଅଞ୍ଚଳରେ ଧାରଣାରେ ବସିଥିବା ଚାଷୀ ଆଗକୁ ଅଗ୍ରସର ହୋଇ ସିନ୍ଧୁ ସୀମାରେ ପହଞ୍ଚିଛନ୍ତି। ଏହା ପରେ ଦିଲ୍ଲୀ ପୁଲିସ କିଛିବାଟ ପଛକୁ ହଟିଛି। ସିନ୍ଧୁ ସୀମାରୁ ଉଭୟ ହରିୟାଣା ଏବଂ ଦିଲ୍ଲୀ ଆଡକୁ ଚାଷୀମାନେ ଧାରଣା ଦେବା ଆରମ୍ଭ କରିଛନ୍ତି।
