ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଅଭିନେତା ପିଣ୍ଟୁ ନନ୍ଦ ନାଁରେ ମାମଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଅଭିନେତା ପିଣ୍ଟୁ ନନ୍ଦ ନାଁରେ ଥାନାରେ ମାମଲା ରଜ୍ଜୁ । ସେ ଜଣେ ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିବା ନେଇ ନୂଆପଲ୍ଲୀ ଥାନାରେ ଏତଲା ଦାୟର ହୋଇଥିଲା । ପୁଲିସ ଉକ୍ତ ଏତଲାକୁ ଆଧାର କରି କେସ ନମ୍ବର ୨୭୬/୨୦ ଦଫା ୨୯୪, ୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଏକ ସିନେମାରେ ସୁଯୋଗ ଦେବାକୁ କୁହାଯାଇଥିଲା । ପରେ ତାଙ୍କର ସ୍କ୍ରିନ ଟେଷ୍ଟ ନିଆଯିବା ପରେ ତାଙ୍କୁ ପିଣ୍ଟୁ ନନ୍ଦ ସିନେମାରେ ରୋଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମଙ୍ଗଳବାର ଦିନ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ହୋଟେଲ ଅନ୍ନପୂର୍ଣ୍ଣାରେ ସୁଟିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ପିଣ୍ଟୁଙ୍କ ସହଯୋଗୀ ଯୁବତୀ ଜଣକୁ ପୂର୍ବାହ୍ଣ ପ୍ରାୟ ୧୦ଟା କଟକରୁ ନେଇ ଭୁବନେଶ୍ୱର ଆସିଥିଲା । ଏଠାରେ ବିଭିନ୍ନ ସ୍ଥାନ ବୁଲାଇବା ପରେ ସନ୍ଧ୍ୟାରେ ଉକ୍ତ ହୋଟେଲରେ ପହଞ୍ଚିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ସେଠାରେ ବସିଥିଲେ ମଧ୍ୟ ସୁଟିଂ କରାଯାଇଥିଲା ।
ହେଲେ ସେଠାରେ ବସିବା ବେଳେ ଯୁବତୀଙ୍କୁ ତାଙ୍କର ସହଯୋଗୀମାନେ ଆଶାଳୀନ ଓ ଆପତ୍ତିଜନକ କଥା କହିଥିଲେ । ଏପରିକି ଅଭଦ୍ର ବ୍ୟବହାର ମଧ୍ୟ କରିଥିଲେ । ଏନେଇ ଯୁବତୀ ଜଣକ ପିଣ୍ଟୁ ନନ୍ଦଙ୍କୁ ପଚାରିବାରୁ ସେ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରତିବାଦ କରିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ । ଏନେଇ ଯୁବତୀ ଜଣକ ତୁରନ୍ତ ନୂଆପଲ୍ଲୀକୁ ଯାଇ ଏତଲା ଦାୟର କରିଥିଲେ । ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ପିଣ୍ଟୁନନ୍ଦଙ୍କୁ ଥାନାକୁ ଡାକି ଜେରା କରିଛି ।

ଏନେଇ ପିଣ୍ଟୁ ନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଯୁବତୀ ପାଟିତୁଣ୍ଡ କରୁଥିଲେ ସେ ତାଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଯୁବତୀ ଜଣକ ତାଙ୍କ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, କରୋନା ସମୟରେ ହୋଟେଲରେ ସିନେମା ସୁଟିଂ ପାଇଁ ଅନୁମତି ମିଳିଲା କେମିତି? ଏଥିପାଇଁ ପ୍ରଯୋଜନା ସଂସ୍ଥା ପୁଲିସ ଠାରୁ ଅନୁମତି ପାଇଥିଲା ତ? ନାଁ କେବଳ ସୁଟିଂ ଆଳରେ ହୋଟେଲରେ ଆଉ କିଛି ହେବାର ଯୋଜନା ଥିଲା କି? ଏନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.