ନିଆଁରେ ଜଳିଗଲେ ୩୨ ଜଣ

ଦକ୍ଷିଣ ଭିଏତ୍ନାମରେ ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବିହ୍ନ ଦୁଓଙ୍ଗ ପ୍ରାନ୍ତର ଥୁଆନ ସହରରେ ଥିବା ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ନିଆଁ ଲାଗି ଯାଇଥିଲା। ନିଆଁର ତେଜ ଏତେ ଭୟଙ୍କର ଥିଲା ଯେ ଅନେକ କର୍ମଚାରୀ ଓ ଗ୍ରାହକ ବାହାରି ନ ପାରି ସେଠାରେ ଫସି ରହିଥିଲେ।
ଯଦିଓ ବହୁତ ଶୀଘ୍ର ନିଆଁକୁ କାବୁ କରି ନିଆଯାଇଥିଲା, କିନ୍ତୁ ପରଦିନ ନିଆଁ ଆଉଥରେ କୁହୁଳିବାରେ ଲାଗିଥିଲା।
ଭିଏତ୍ନାମ ନ୍ୟୁଜ୍ ଏଜେନ୍ସିର ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ସୁଦ୍ଧା ହିଁ ୩୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା କରାଓକେ ବାର୍ ଭିତରକୁ ପଶି ଲୋକମାନଙ୍କୁ ଉଦ୍ଧାର କରିବା ଆଦୌ ସମ୍ଭବପର ନ ଥିଲା। କାରଣ, ନିଆଁ ହୁତୁହୁତୁ ହୋଇ ଜଳୁଥିବାରୁ ଭିତରର ତାପମାତ୍ରା ବହୁତ ଅଧିକ ରହିଥିଲା। କହି ରଖୁଛୁ, କରାଓକେ ଏକ ପ୍ରକାରର ଇଣ୍ଟେରାକ୍ଟିଭ୍ ମନୋରଞ୍ଜନ, ଯାହାକି ସାଧାରଣତଃ କ୍ଲବ୍ ଏବଂ ବାର୍ଗୁଡ଼ିକରେ ହୋଇଥାଏ। ଏଠାରେ ଲୋକ ମାନେ ଏକ ମାଇକ୍ରୋଫୋନ ବ୍ୟବହାର କରି ଏକାଠି ଗୀତ ଗାଇବା ସହ ଗୀତ ରେକର୍ଡ ମଧ୍ୟ କରି ଥାଆନ୍ତି।
ଖବର ମୁତାବକ, କିଛି ଲୋକ ନିଃଶ୍ୱାସ ନେଇ ନ ପାରିବା କାରଣରୁ ସେହି ଠାରେ ହିଁ ବେହୋସ୍ ହୋଇ ଯାଇଥିଲେ ଏବଂ କିଛି ଲୋକ ନିଆଁ ମୁହଁରୁ ରକ୍ଷା ପାଇବା ପାଇଁ ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ। ଅଗ୍ନିଶମ କର୍ମୀ ମାନେ ଦମକଳ ଗାଡ଼ି ଉପରେ ସିଡି ଯୋଗେ ଚଢ଼ି ବିଲ୍ଡିଂରୁ ଲୋକ ମାନଙ୍କୁ ଉଦ୍ଧାର କରିଥିଲେ। ସୂଚନା ରହିଛି, ବିଲ୍ଡିଂ ଭିତରେ ଥିବା ଗଦି ଏବଂ କାଠର ଇଣ୍ଟେରିୟରକୁ ନିଆଁ ଧରିବା କ୍ଷଣି ଏହା ଚାର ଆଡ଼କୁ ବ୍ୟାପି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ଏବଂ ୬୬ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ। ପାଖାପାଖି ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଗୁୟେନ ଜୁଆନ ଫୁକ ମୃତ ଏବଂ ପୀଡ଼ିତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେ ସରକାରୀ ଅଧିକାରୀ ମାନଙ୍କୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏବଂ ଅଗ୍ନିକାଣ୍ଡର କାରଣ ବିଷୟରେ ଅବଗତ ହେବାକୁ କହିଛନ୍ତି। ତେବେ ବର୍ତ୍ତମାନ ପ୍ରାଥମିକ ଯାଞ୍ଚରୁ ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଘଟିଥିବା ଏବଂ ନିଆଁ ପ୍ରଥମେ ଦ୍ୱିତୀୟ ମହଲାରେ ଲାଗିଥିବା ଜଣାପଡ଼ିଛି।
ସୂଚନାଥାଉ କି, ଦେଶର ଏକ ସରକାରୀ ତଥ୍ୟ ମୁତାବକ, ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ଭିତରେ ଭିଏତ୍ନାମରେ ମୋଟ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ୧,୧୪୭ଟି ଘଟଣା ଘଟିଛି, ଯେଉଁଥିରେ ୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଲୋକ ଆହତ ହୋଇଛନ୍ତି।