ନାଳ ପାରି ହେଉଥିବାବେଳେ ଭାସିଗଲେ ଶଳା-ଭିଣୋଇ

ନାଳ ପାରି ହୋଇ ଯାଉଥିବାବେଳେ ଭାସିଗଲେ ଶଳା-ଭିଣୋଇ। ବନ୍ୟା ପାଣିରେ କାର ସହ ଭାସିଯାଇ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଲଇଡା ଫାଶୀମାଲ ରାସ୍ତାର ନାକଟିପାଲି ନାଳରେ । ଦୁଇ ମୃତକ ହେଉଛନ୍ତି ଗୁଣ୍ଡୁରୁଛୁଆଁ ଗ୍ରାମର ତାପସ କୁମାର ନାୟକ ଓ ତାଙ୍କର ସମ୍ପର୍କୀୟ ପ୍ରତାପ ପଟେଲ । ଉଭୟ ସମ୍ପର୍କରେ ଶଳା-ଭିଣୋଇ ହେବେ ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶାହ କାର୍ଯ୍ୟ ପାଇଁ ଉଭୟ କାର୍ଡ ବାଣ୍ଟି ଫେରୁଥିଲେ । ଉଭୟ କାର ଯୋଗେ ନାକଟିପାଲି ନାଳ ପାର ହେଉଥିଲେ । ହଠାତ ନାଳରେ ବଢ଼ି ପାଣି ଆସିଯାଇଥିଲା। ନାଳର ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ପ୍ରଖର ସ୍ରୋତରେ କାର ସହ ଉଭୟ ଭାସି ଯାଇଥିଲେ। ଏନେଇ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ରାତି ତମାମ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳ ସମୟରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।