କିଶୋରୀମାନଙ୍କୁ ମାଗଣାରେ ଦିଆଯିବ କ୍ୟାନସର ପ୍ରତିଷେଧକ ଟିକା

ଖୁବଶୀଘ୍ର କିଶୋରୀମାନଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟିକା । ରାଜ୍ୟରେ ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଦିଆଯିବ ଏହି ଟିକା । ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଛି ।
ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟିକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ଟିକା ଜରାୟୁ କ୍ୟାନସରରୁ ସୁରକ୍ଷା ଦେବ । ୩ଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟିକାର ଡୋଜ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ରହିବ । ଟିକାର ଦୁଇଟି ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।
ପ୍ରଥମ ଡୋଜ ନେବାର ୬ ମାସରୁ ୧୨ ମାସ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ । ଏନଏଚଏମ ଅନୁମୋଦନ ପାଇବା ପରେ ତୁରନ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ୧୦ ଜିଲ୍ଲା ବଲାଙ୍ଗୀର, ଢେଙ୍କାନୀଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଟିକା ଦିଆଯିବ । ଏହି ଭ୍ୟାକସିନ କ୍ୟାନସରରୁ ୯୨ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ ବୋଲି ଡାକ୍ତରମାନେ କହିଛନ୍ତି ।