ରାଜଧାନୀରେ ମାତିଛନ୍ତି ଗଞ୍ଜେଇ ମାଫିଆ, ୨ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀ ପାଲଟିଛି ନିଶାମାଫିଆଙ୍କ ହବ୍। କୋରାପୁଟରୁ ଭୁବନେଶ୍ୱରକୁ ନିୟମିତ ଗଞ୍ଜେଇ ଚୋରାଚାଲାଣ ହେଉଛି। ଏସମ୍ପର୍କରେ ଯଦି ପୁଲିସ ଖବର ପାଏ ତା’ହେଲେ ଚଢ଼ଉ ହେଉଛି। ନହେଲେ ନିଶାବେପାରୀମାନେ ଗଞ୍ଜେଇ କାରବାର ସୁରୁଖୁରୁରେ ଚଳାଉଛନ୍ତି। ବେପାରୀମାନେ କେତେବେଳେ ଚାଉଳବସ୍ତାରେ ଆଣୁଛନ୍ତି ତ ପୁଣି କେବେ କାରର ସିକ୍ରେଟ ଚାମ୍ବରରେ ଗଞ୍ଜେଇକୁ ବର୍ଡର ପାର୍ କରାଉଛନ୍ତି। ଏଭଳି ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ବେପାରୀଙ୍କୁ କ୍ୟୁଏଟି(କୁଇକ ଆକ୍ସନ ଟିମ୍) ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଡ଼ଦୁର୍ଗା ସାହିର ଜିତେନ୍ଦ୍ର ବେଜ ଓରଫ ଜିତୁ(୩୨) ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅଞ୍ଚଳର କେ.ମନୋଜ(୨୧)। ଏମାନଙ୍କଠାରୁ ୩୦ କେଜି ୪୦୦ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତଦ୍ୱୟଙ୍କ କୋଭିଡ୍ ଟେଷ୍ଟ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.